ବିଦେଶୀ ମୁଦ୍ରା ଭଣ୍ଡାର ୫୪୪ ବିଲିୟନ ଡଲାର ଛୁଇଁଲା:୨୦୨୧ ଅଗଷ୍ଟପରେ ସର୍ବାଧିକ ଉନ୍ନତି

47

ମୁମ୍ବାଇ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତିରେ ଆଖିଦୃଶିଆ ଉନ୍ନତି ଘଟିଛି । ନଭେମ୍ବର ୧୮ ସୁଦ୍ଧା ଶେଷ ହେଉଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୧୪.୭୨ ବିଲିୟନ ଡଲାର ବୃଦ୍ଧି ଘଟିଥିବାବେଳେ ମୋଟ ପରିମାଣ ୫୪୪.୭୨ ବିଲିୟନ ଡଲାରରେ ପହଞ୍ଚିଥିବା ରିଜର୍ଭ ବ୍ୟାଙ୍କ ସୂତ୍ରରୁ ଜଣାପଡିଛି । ୨୦୨୧ ଅଗଷ୍ଟ ପରେ ସାପ୍ତାହିିକ ହାରରେ ଏହା ସର୍ବାଧିକ ଉନ୍ନତି ବୋଲି କୁହାଯାଇଛି । ୨୦୨୧ ଅକ୍ଟୋବରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୬୪୫ ବିଲିୟନ ଡଲାର ଗଚ୍ଛିତ ହୋଇଥିଲା । ଏହା ରିଜର୍ଭ ବ୍ୟାଙ୍କ ଇତିହାସରେ ସର୍ବକାଳୀନ ରେକର୍ଡ ବୋଲି ଜଣାପଡିଛି । ୨୦୨୨ ପ୍ରାରମ୍ଭରେ ଏହା ୬୩୦ ବିଲିୟନ ଡଲାର ରହିଥିଲା । ତେବେ ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମଶଃ ଦୁର୍ବଳ ହେବାରୁ ଏହାର ପ୍ରତିକୂଳ ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡିଥିଲା । ୨୦୨୨ ମାର୍ଚ୍ଚ ସୁଦ୍ଧା ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ୫୨୯.୯୯ ବିଲିୟନ ଡଲାର ରହିଥିଲା । ମାର୍ଚ୍ଚ ପରଠାରୁ ସ୍ଥିତି ବିଗିଡିବାରେ ଲାଗିଥିଲା । ଟଙ୍କାର ସ୍ଥିତି ବଜାୟ ରଖିବାକୁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଡଲାର ବିକ୍ରି କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ସ୍ଥିତିରେ ଉନ୍ନତି ଘଟିଥିବା ପଛରେ କେତେକ କାରଣ ମଧ୍ୟ ରହିଛି । ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ନିକଟରେ ୮ ବିଲିୟନ ଡଲାର ବିଦେଶୀ ମୁଦ୍ରା କ୍ରୟ କରି ସ୍ଥିତିକୁ କିଛିମାତ୍ରାରେ ସମ୍ଭାଳିଛନ୍ତି । ପୁନଶ୍ଚ ଆନ୍ତର୍ଜାତିକ ମାର୍କେଟରେ ଡଲାର ସ୍ଥିତି ଦୁର୍ବଳ ହେବାରୁ ଏହା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଅନୁକୂଳ ପ୍ରଭାବ ପକାଇଛି ବୋଲି କେତେକ ଅର୍ଥନୀତିଜ୍ଞ ମତବ୍ୟକ୍ତ କରିଛନ୍ତି । ଚଳିତବର୍ଷ ଫେବୃଆରୀରେ ରୁୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବାପରଠାରୁ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ କ୍ରମାଗତ ହ୍ରାସ ଘଟି ଚାଲିଥିଲା ।

Comments are closed, but trackbacks and pingbacks are open.