ଶ୍ରୀମନ୍ଦିରରେ ନିଯୁକ୍ତି ପାଇବେ ଫୁଡ ଅଫିସର – ଆଇନମନ୍ତ୍ରୀ

44

ଭୁବନେଶ୍ୱର : ତିରୁପତି ଲଡୁ ବିବାଦ ପରେ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା । ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତି ହେବେ ପୁଡ୍‌ ଅଫିସର । ଏହି ଅଫିସର ଭୋଗ, ମହାପ୍ରସାଦର ମାନ ଯାଞ୍ଚ କରିବେ। କେବଳ ମାନ ଯାଞ୍ଚ ନୁହେଁ, ଭୋଗରେ ବ୍ୟବହୃତ ସାମଗ୍ରୀର ବି ଯାଞ୍ଚ କରିବେ ଫୁଡ୍‌ ଅଫିସର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବା ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ବରିଷ୍ଠ ସେବାୟତ ତଥା ସୁଆର ମହାସୁଆର ନିଯୋଗର ଉପଦେଷ୍ଟା ବୈଦ୍ୟନାଥ ମହାସୁଆର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ବରାଦି ମହାପ୍ରସାଦ ସହ ଖଜା ଓ ବିଭିନ୍ନ ମିଠା ପ୍ରସାଦ ପ୍ରସ୍ତୁତିରେ ସ୍ବାସ୍ଥ୍ୟ ପାଇଁ ଖରାପ ଥିବା ଡାଲଡା ଘିଅ ଶ୍ରୀମନ୍ଦିରରେ ବ୍ୟବହାର ହେଉଛି। ତୁରନ୍ତ ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ବୈଦ୍ୟନାଥ ମହାସୁଆର ।ଏନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା।

ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛତେଲର ମାତ୍ରା ଥିଲା। ତେବେ ଏହାର ପ୍ରମାଣ ମିଳିବା ପରେ ସବୁ ଧର୍ମାବଲମ୍ବୀ ଭକ୍ତଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଏହି ଘଟଣା ପରେ ଆକ୍ସନ ମୋଡ୍‌କୁ ଆସିଛନ୍ତି ପୁରୀ ଜିଲାପାଳ।

ଗତକାଲି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏନେଇ ବଡ଼ ସୂଚନା ଦେଇଥିଲେ। ସେ କହିଥିଲେ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି। ତେଣୁ ଖୁବ୍‌ଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ଏନେଇ ସୁଆର, ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଓମ୍‌ଫେଡ୍‌ ଓ ଅନ୍ୟ ସଂସ୍ଥା ସହ ମଧ୍ୟ ଆଲୋଚନା କରିବୁ। ଏହାପରେ ମହାପ୍ରସାନ ସହ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ଫୁଡ୍‌ ସେଫ୍ଟି ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ।

Comments are closed, but trackbacks and pingbacks are open.