ସ୍ଥାନ ନାଁରେ ଖାଦ୍ୟ

165

ସାଧାରଣତଃ ଖାଦ୍ୟ ଯେଭଳି ସ୍ୱାଦିଷ୍ଟ ହୋଇଥାଏ, ତାହା ପଛର କାହାଣୀ ଥାଏ ଅଧିକ ରୋଚକ । କିଛି ଖାଦ୍ୟପଦାର୍ଥ ଏଭଳି ଅଛି, ଯାହାର ନାଁ କୌଣସି ସ୍ଥାନ ସହ ଜଡ଼ିତ ଅଛି । ସେଭଳି କେତେକ ସ୍ୱାଦିଷ୍ଟ ଖାଦ୍ୟକୁ ନେଇ ଏହି ଉପସ୍ଥାପନା ।
ଅର୍କୋଟ ମଖନ ପେଡ଼ା: ଏହା ହେଉଛି ତାମିଲନାଡୁର ଏକପ୍ରକାର ମିଠା । ଭେଲ୍ଲୋର ସହର ଅର୍କୋଟ୍‌ରେ ଶାହି ନବାବଙ୍କ ରୋଷେଇ ଘରେ ପ୍ରଥମଥର ପାଇଁ ପ୍ରସ୍ତୁତ କରାଯାଇଥିଲା ‘ଅର୍କୋଟ ମଖନ ପେଡ଼ା’ । ମିଠାଟି ଦେଖିବାକୁ ଗୁଲାବ ଜାମୁନ ସଦୃଶ ଓ ଖୁବ୍ ସ୍ୱାଦିଷ୍ଟ ।
ବମ୍ବେ ଡକ୍ ଫ୍ରାଇ: ଯଦିଓ ଏହାର ନାଁରେ ‘ଡକ୍‌’ ଶବ୍ଦ ଅଛି, କିନ୍ତୁ ଖାଦ୍ୟରେ ବତକ ବ୍ୟବହାର କରାଯାଏ ନାହିଁ । ଏହି ଖାଦ୍ୟରେ ଏକ ବିଶେଷପ୍ରକାର ମାଛ ବ୍ୟବହାର ହୁଏ । ଏହି ମାଛ କେବଳ ବମ୍ବେରେ ମିଳିଥାଏ । ଏହାକୁ ଟ୍ରେନ୍‌ରେ ପଶ୍ଚିମବଙ୍ଗ ପଠାଯାଉ ଥିଲା । ଯେଉଁ ଟ୍ରେନ୍‌ରେ ଏହାକୁ ପଠାଯାଉଥିଲା, ତାହାର ନାଁ ଥିଲା ‘ବମ୍ବେ ଡାକ୍‌’ । ସେହିପରି ଏହା ଟ୍ରେନ୍‌ରେ ଆସୁଥିବାରୁ ଏହାକୁ କୁହାଗଲା ‘ବମ୍ବେ ଡକ୍‌’ ।
ରାମାସେରୀ ଇଡ୍‌ଲି: କେରଳର ଏକ ଗାଁ ନାଁ ରାମାସେରୀ । ଏହି ଗାଁରେ ଉକ୍ତ ଇଡ୍‌ଲି ପ୍ରସ୍ତୁତ କରାଯାଉଥିବାରୁ ଏହାର ନାଁ ରାମାସେରୀ ଇଡ୍‌ଲି । ଏହି ଇଡ୍‌ଲିର ବିଶେଷତ୍ତ୍ୱ ହେଉଛି ଏହା ଖୁବ୍ ନରମ ଓ ସ୍ୱାଦିଷ୍ଟ ।
ଆଗ୍ରା ପେଠା: ତାଜମହଲ ଓ ପେଠା ପାଇଁ ପରିଚିତ ଆଗ୍ରା । କୁହାଯାଏ ଏହାକୁ ମୋଗଲ ସମ୍ରାଟ ଶାହାଜାହାଁ ପ୍ରସ୍ତୁତ କରିଥିଲେ । ସେହିପରି ଏହାକୁ ତାଜମହଲ ନିର୍ମାଣ ସମୟରେ ତିଆରି କରାଯାଇଥିଲା । କାରଣ ସେଠାରେ କାମ କରୁଥିବା ଲୋକମାନେ ଗୋଟିଏ ପ୍ରକାର ଖାଦ୍ୟ ଖାଇ ବିରକ୍ତି ହୋଇଯାଇଥିଲେ । ସେ ଖାଦ୍ୟରେ ପରିବର୍ତ୍ତନ ଆଣିବା ଓ ସେମାନଙ୍କୁ ଶକ୍ତି ଯୋଗାଇବା ପାଇଁ ୫୦୦ ରୋଷେୟା ୨୨ ହଜାର ଲୋକଙ୍କ ପାଇଁ ଏହି ପେଠା ପ୍ରସ୍ତୁତ କରିଥିଲେ ।
ହାଇଦ୍ରାବାଦୀ ବିରିଆନୀ: ସବୁଠୁ ପସନ୍ଦ କରାଯାଇଥିବା ବିରିଆନି ମଧ୍ୟରୁ ଅଧିକ ଲୋକପ୍ରିୟ ‘ହାଇଦ୍ରାବାଦୀ ବିରିଆନୀ’ । ହାଇଦ୍ରାବାଦ ନିଜାମଙ୍କ ରୋଷେଇ ଘରେ ଏହାକୁ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା । ସେଥିପାଇଁ ଏହାର ନାଁ ଏଭଳି ରଖାଯାଇଛି ।
ଚିକେନ୍ ଚେତିନାଡ୍‌: ଏହା ଏକ ଲୋକପ୍ରିୟ ସାଉଥ୍ ଇଣ୍ଡିଆ ଖାଦ୍ୟ । ତାମିଲନାଡୁରେ ଚେତିନାଡୁ ନାଁରେ ଏକ ସ୍ଥାନ ଅଛି । ଅନ୍ୟପଟେ ଏହି ଖାଦ୍ୟକୁ ସ୍ୱତନ୍ତ୍ର ପ୍ରକାର ସାଉଥ ଇଣ୍ଡିଆନ୍ ମସଲାରେ ପ୍ରସ୍ତୁତ କରାଯାଏ ।
ଇନ୍ଦୋରି ପୋହା: ଏହା ଇନ୍ଦୋରର ଲୋକପ୍ରିୟ ପୋହା ହୋଇଥିବାରୁ ଏହାକୁ କୁହାଯାଏ ‘ଇନ୍ଦୋରି ପୋହା’ । ଇନ୍ଦୋରି ସେଓ ସହ ଏହାକୁ ପରଷା ଯାଏ । ଏହି କାରଣରୁ ଏହା ଅଧିକ ସ୍ୱାଦିଷ୍ଟ ।

Comments are closed, but trackbacks and pingbacks are open.