ମହାନଦୀରେ ବନ୍ୟାଜଳ : ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଜାରି

31

ଭୁବନେଶ୍ବର: ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ମହାନଦୀରେ ବନ୍ୟାଜଳ ପ୍ରବାହ ଯୋଗୁଁ ମୁଣ୍ଡଳୀ ବ୍ୟାରେଜ୍‌ରେ ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଛି । ଆସନ୍ତାକାଲି ରାତି ସୁଦ୍ଧା ଏହା ସର୍ବାଧିକ ସ୍ତରରେ ପହଞ୍ଚିବାର ଆଶଙ୍କା କରାଯାଉଛି । ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ସହ ନିମ୍ନ ଅଞ୍ଚଳରେ ବନ୍ୟା ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ)ର ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା–୩୪ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି କରିଛନ୍ତି । ଜାରି ହୋଇଥିବା ଆଦେଶ ଅନୁଯାୟୀ, ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ସମସ୍ତ ଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି । ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ସେଲ୍ଫି ନେବା କିମ୍ବା ନଦୀ କୂଳ, ବ୍ୟାରେଜ୍‌ ନିକଟରେ ରହିବା ଉପରେ କଟକଣା ଜାରି କରାଯାଇଛି । ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାର ଜନସମାଗମ, ସଭା ଓ ଗହଳି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି। ବ୍ୟାରେଜ୍‌, ସେତୁ କିମ୍ବା ନଦୀବନ୍ଧ ଉପରେ ଠିଆ ହୋଇ ବନ୍ୟାଜଳ ଦେଖିବା, ସେଲ୍ଫି କିମ୍ବା ଭିଡିଓ କରିବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି । କେବଳ ଜରୁରୀକାଳୀନ ସେବା ଓ ବନ୍ୟା ପରିଚାଳନା ସହ ଜଡ଼ିତ ଅଧିକାରୀମାନେ ଏହି ସ୍ଥାନଗୁଡ଼ିକୁ ଯାଇପାରିବେ । ନଦୀ କୂଳ, ନିମ୍ନ ଅଞ୍ଚଳ ଓ ନଦୀବନ୍ଧ ନିକଟରେ ଥିବା ସମସ୍ତ ମନ୍ଦିର ଓ ଧାର୍ମିକ ସ୍ଥାନଗୁଡ଼ିକୁ ଭକ୍ତ ଓ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖାଯିବ। ସେହିପରି ମହାନଦୀ, ଶାଖା ନଦୀ ଓ ସଂଲଗ୍ନ ଜଳାଶୟଗୁଡ଼ିକରେ ସମସ୍ତ ପ୍ରକାର ମତ୍ସ୍ୟ ଧରିବା କାର୍ଯ୍ୟ ଉପରେ ନିଷେଧାଦେଶ ଜାରି କରାଯାଇଛି ଏବଂ ମତ୍ସ୍ୟଜୀବୀମାନଙ୍କୁ ନଦୀକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ନିମ୍ନଅଞ୍ଚଳ ଓ ବନ୍ୟା ପ୍ରବଣ ଅଞ୍ଚଳର ବାସିନ୍ଦା, କୃଷକ ଓ ଦୁଗ୍ଧ ଚାଷୀମାନଙ୍କୁ ସେମାନଙ୍କର ଗୃହପାଳିତ ପଶୁମାନଙ୍କୁ ତୁରନ୍ତ ସୁରକ୍ଷିତ ଉଚ୍ଚ ସ୍ଥାନ କିମ୍ବା ନିର୍ଦ୍ଦିଷ୍ଟ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। 

Comments are closed, but trackbacks and pingbacks are open.