ମାଲକାନଗିରି ଜିଲ୍ଲା ରେ ବନ୍ୟା ପରିସ୍ଥିତି ଉଦବେଗ ଜନକ : ଜଳବନ୍ଦୀ ହେଲା ମୋଟୁ ଅଞ୍ଚଳ

56

ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଖୋର୍ଦ୍ଧା ନୟାଗଡ଼ ପରେ ମାଲକାନାଗିରି ଜିଲ୍ଲା ମୋଟୁ ଅଞ୍ଚଳ ରେ ଅନେକ ସ୍ଥାନ ରେ ଜଳବନ୍ଦୀ ଅବସ୍ଥାରେ ରହିଛି I ବନ୍ୟା ଜନିତ କ୍ଷୟକ୍ଷତିକୁ ଅଧିକ ବଢାଇ ଦେଉଛି ଆନ୍ଧ୍ର ସରକାରଙ୍କ ପୋଲାଭରମ୍‌ ପ୍ରକଳ୍ପ। ବିଶେଷ କରି ଆନ୍ଧ୍ର ଓ ଛତିଶଗଡ ସୀମାକୁ ଲାଗି ରହିଥିବା ଜିଲ୍ଲାର ଗ୍ରାମାଞ୍ଚଳ ବାରମ୍ବାର ବନ୍ୟା ମାଡ ଖାଇ ଛାରଖାର ହୋଇ ଚାଲିଛି। ୪ ଦିନ ହେବ ବୁଡି ରହିଛି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ। ବର୍ଷା କମିଯାଇଥିଲେ ସୁଦ୍ଧା ବନ୍ୟା ପାଣି ନିଷ୍କାସନ ନ ହୋଇ ସ୍ଥିର ରହିଛି। ଏପରି ପରିସ୍ଥିତିରେ ଅଲମା, ପେଟା, ବିନାୟକପୁର, ମିରଲିଗୁଡ଼ା ଗାଁ ଜଳମଗ୍ନ ହୋଇ ପଡ଼ିଥିବାରୁ ସେଠାରେ ଡଙ୍ଗା ଯୋଗେ ରିଲିଫ ପ୍ରଦାନ କରାଯାଉଛି । ଆନ୍ଧ୍ର କାଲେରୁ ଅଂଚଳରେ ମଧ୍ୟ ଅଗ୍ନିଶମ କର୍ମଚାରୀ ଓ ତହସିଲ କର୍ମଚାରୀ ମାନେ ରିଲିଫ ପ୍ରଦାନ କରିଛନ୍ତି ।


ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁ ମୋଟୁ ମୁଗି ପଏଣ୍ଟ ସ୍ଥିତ ମଧୁସୂଦନ ପାର୍କ ଉପରେ ପାଣି ୩୦ ଫୁଟ ଉଚ୍ଚରେ ରହିଥିଲା। ଗତକାଲି ଗୋଦାବରୀ ନଦୀର ଜଳସ୍ତର ୮୦ ଫୁଟ୍ ଉଚ୍ଚରେ ପ୍ରବାହିତ ହେଉଥିବା ବେଳେ ଆଜି ଏହା ୬୪ ଦଶମିକ ୮୦ ଫୁଟକୁ ଖସି ଆସୁଛି । ପ୍ରତିବର୍ଷ ବନ୍ୟାରେ ଏହି ଅଞ୍ଚଳ ବନ୍ୟାର ସମ୍ମୁଖୀନ ହୋଇ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି। କାରଣ ଦୁଇ ପାର୍ଶ୍ୱ ଦେଇ ବୋହି ଯାଉଥିବା ସିଲେରୁ ଓ ସାବେରୀ ନଦୀର ପ୍ରଖର ସ୍ରୋତରେ ମାଟି ଧୋଇହୋଇ ବଡ ବିପଦ ସୃଷ୍ଟି କରିଛି।

ଚଳିତ ବର୍ଷ ମୋଟୁ ପାଇଁ ବର୍ଷା ପ୍ରଳୟ ନେଇ ଆସିଥିବା କୁହାଯାଉଛି। ମୋଟୁ ପୁରୁଣା ବସ୍ତି ସମ୍ପୂର୍ଣ୍ଣ ବୁଡି ଯିବାରୁ ଏଠାରେ ବସବାସ କରୁଥିବା ୧୫ ପରିବାରକୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିପରି ନୂଆ ମୋଟୁ ଓ ବିନାୟକପୁର ଗ୍ରାମର ମୋଟ ୫୦ ପରିବାରକୁ ଉଚ୍ଚ ତଥା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed, but trackbacks and pingbacks are open.