ଜୟପୁରରୁ ବିମାନ ଚଳାଚଳ ଅନୁମତି

34

ଭୁବନେଶ୍ୱର: ବୈଷୟିକ କମିଟି ଦ୍ୱାରା କ୍ରମାଗତଃ ତନଖି ପରେ ବିମାନ ଚଳାଚଳ ନେଇ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ନବନର୍ମିିତ ବିମାନବନ୍ଦରକୁ ଲାଇସେନ୍ସ ମିଳିଛି । ‘ଉଡାନ୍‌’ଯୋଜନାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ତାହା ପ୍ରଦାନ କରାଯାଇଛି । ହେଲେ ରାଉରକେଲା ବିମାନବନ୍ଦର ଆନୁସଙ୍ଗିକ କାର୍ଯ୍ୟ ବାକି ଥିବାରୁ ବିମାନ ଉଡ଼ାଣ ଅନୁମତି ପରେ ମିଳିବ ବୋଲି ଜଣାପଡ଼ିଛି । ଗୁରୁବାର ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଗତ ୬ ମାସ ଭିତରେ ଦୁଇ ଥର ଜୟପୁର ବିମାନବନ୍ଦରରେ ବୈଷୟିକ ପ୍ରତିନିଧି ମଣ୍ଡଳି ଦ୍ୱାରା ତିନୋଟି କ୍ଷେତ୍ରରେ ଯାଞ୍ଚ କରାଯାଇଛି । ତାହା ହେଉଛି ଆନୁସଙ୍ଗିକ, ବୈଷୟିକ ଓ ଭୌଗଳିକ ଭିତ୍ତିଭୁମି କ୍ଷେତ୍ର । ଗତ ଜୁଲାଇ ୨୧ ଓ ୨୨ରେ ହୋଇଥିବା ତନଖିରେ ବିମାନବନ୍ଦରରୁ ୬୭ଟି ତ୍ରୁଟି ଚିହ୍ନଟ ହୋଇଥିଲା । ଏନେଇ ଆସିଥିବା ତିନି ଜଣିଆ ଉଚ୍ଚ ପ୍ରତିନିଧି ଦଳ କେନ୍ଦ୍ର ସରାକରଙ୍କ ‘ଡାଇରେକ୍ଟରଟ୍ ଅଫ୍ ସିଭିଲ୍ ଏଭିଏସନ୍‌’ଙ୍କୁ ରିପୋର୍ଟ ଦେଇଥିଲେ । ପରେ ତୁରନ୍ତ ତ୍ରୁଟି ସୁଧାରିବା ପାଇଁ ଡିଜିସିଏ ପକ୍ଷରୁ କୁହାଯାଇଥିଲା । ତାହା ସଂଶୋଧନ ବି ହେଲା । ମାତ୍ର ଏସବୁକୁ ଯାଞ୍ଚ ପାଇଁ ପୁଣି ତେର ଜଣିଆ ବିଶେଷଜ୍ଞ ଟିମ୍ ଜୟପୁର ଗସ୍ତ କରିଥିଲେ । ଏଥିରେ ଡିଜିସିଏର ସହକାରୀ ନିର୍ଦ୍ଦେଶକ ଧୁଷର କୁମାର ମଣ୍ଡଳ ଓ ମନିଷ ଠାକୁର, ଭୁବେନଶ୍ୱର ବିମାନବନ୍ଦର ଏଟିସି ଏଜିଏମ୍ ସରୋଜ କୁମାର ସାହୁ, ଅଧିକ୍ଷଣ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ, ଏସ୍‌ଡିଓ ସୋମନାଥ ତ୍ରିପାଠୀ, ବିମାନବନ୍ଦରର ଅଧିକାରୀ ସିମାଞ୍ଚଳ ସାହୁ, ଉପେନ୍ଦ୍ର ମିଶ୍ର, ଅରୁଣ କୁମାର ଶାହା ସାମିଲ ହୋଇଥିଲେ । ଏମାନେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ସକରାତ୍ମକ ରିପୋର୍ଟ ଦେଇଥିଲେ । ଉକ୍ତ ରିପୋର୍ଟ ଆଧାରରେ ଡିଜିସିଏ ଜୟପୁର ନୂଆ ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରିଛି । ଏଣିକି ନିୟମିତ ବିମାନ ଚାଲିପାରିବ । ଅନ୍ୟପକ୍ଷରେ ହକି ବିଶ୍ୱକପ୍ ପାଇଁ ରାଉରକେଲା ବିମାନବନ୍ଦରକୁ ନଭେମ୍ବର ୩୦ ପୂର୍ବରୁ କାର୍ଯ୍ୟକ୍ଷମ କରିବା ପାଇଁ ଓଡ଼ିଶା ସରକାର ଚାହୁଁଛନ୍ତି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅକ୍ଟୋବର ୧୪ରେ ଚିଠି ଲେଖିଥିଲେ । ଶ୍ରୀ ପଟ୍ଟନାୟକ ଚିଠିରେ ଦର୍ଶାଇ ଥିଲେ ଯେ ରାଉରକେଲାରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସିଟିକୁ ବିମାନସେବା ଶୀଘ୍ର ଆରମ୍ଭ ହେବା ଆବଶ୍ୟକ । ଏହା ହେଲେ ଖେଳାଳି, ଦର୍ଶକ ଓ ପର୍ଯ୍ୟଟମାନେ ରାଉରକେଲା ସିଧାସଳଖ ବିମାନଯୋଗେ ଆସିପାରିବେ । ସେଥିପାଇଁ ସେଲ୍ ଓ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପୂର୍ବରୁ ଥିବା ବୁଝାମଣା ପତ୍ର(ଏମଓୟୁ)କୁ ତୁରନ୍ତ ନବୀକରଣ କରାଯାଉ । ଏଥିସହ ଧାର୍ଯ୍ୟ ସମୟ ଭିତରେ ରନୱେ, ଟର୍ମିନାଲ, ଯାତ୍ରୀଙ୍କ ପାଇଁ ବିଲ୍ଡିଂ ଭଳି କିଛି ଜରୁରୀ କାର୍ଯ୍ୟ କରିବା ଦରକାର । ଏସବୁ କାର୍ଯ୍ୟ ନଭେମ୍ବର ସୁଦ୍ଧା ହେବା ଆବଶ୍ୟକ । କାରଣ ୨୦୨୩ ଜାନୁଆରୀ ୧୩ରୁ ୨୯ ମଧ୍ୟରେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ୍ ଖେଳାଯିବ । ତେଣୁ ମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ବିଚାର କରି ଯଥାଶୀଘ୍ର କାର୍ଯ୍ୟାରମ୍ଭ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କୁ ଅନୁରୋଧ କରିଥିଲେ । ଏହାପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଡିଜିସିଏ ଯୁଦ୍ଧକାଳୀନ ଭିତ୍ତିରେ ରାଉରକେଲା ବିମାନବନ୍ଦରର ନିର୍ମାଣ କାର୍ଯ୍ୟ କରୁଛି । ପରେ ବୈଷୟିକ କମିଟି ଦ୍ୱାରା ଯାଞ୍ଚ ହୋଇ ଉଡ଼ାଣ ଅନୁମତି ମିଳିବ । ହକି ବିଶ୍ୱକପ୍ ପୂର୍ବରୁ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି ।

Comments are closed, but trackbacks and pingbacks are open.