ଭୁଶୁଡ଼ିଲା ନିର୍ମାଣଧୀନ ପାଞ୍ଚ ମହଲା କୋଠା: ଚାରି ମୃତ, ଉଦ୍ଧାର କାର୍ଯ୍ୟ ଜାରି

66

କୋଲକାତା: ପଶ୍ଚିମବଙ୍ଗ କଲକାତାରେ ବଡ଼ ଧରଣର ଅଘଟ। ଭୁଶୁଡ଼ିଲା ନିର୍ମାଣଧୀନ ପାଞ୍ଚ ମହଲା କୋଠା। ଏହି ଅଘଟଣରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିବା ବେଳେ ଫସି ରହିଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି। ରବିବାର ବିଳମ୍ବିତ ରାତିରେ ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଉପଲବ୍ଧ ରହିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଅନେକ ଲୋକ ଏବେବି ଭଙ୍ଗା କୋଠା ତଳେ ଚାପି ହୋଇ ରହିଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ସିଟି ମେୟର ଫିରହାଦ୍ ହାକିମ । କୋଲକାତା ପୋଲିସ କମିଶନର ଭିନିତ ଗୋୟଲ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପହଞ୍ଚିଛନ୍ତି ।

ଏନଡିଆରଏଫ ସୂତ୍ରରୁ ପ୍ରକାଶ ଯେ ଏପର୍ଯ୍ୟନ୍ତ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଥମେ ବିଲ୍ଡିଂରୁ କଂକ୍ରିଟ ଭୁଶୁଡ଼ି ପଡ଼ିଥିଲା ଏବଂ ପରେ ବିଲଡିଂ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଏବଂ ପୂରା ଅଞ୍ଚଳ ଧୁଳିମୟ ହୋଇଯାଇଥିଲା । କୋଠାର ଆବର୍ଜନାଗୁଡିକ ସେହି ଅଞ୍ଚଳରେ ଥିବା ନିକଟସ୍ଥ କୋଠା ଗୁଡିର ଛାତ ଉପରେ ପଡିଛି । ନିର୍ମାଣାଧୀନ ବିଲ୍ଡିଂରେ କେହି ରହୁ ନଥିଲେ ମଧ୍ୟ ଏହା ପାଖରେ ଥିବା ଘର ଉପରେ ଭୁଶୁଡିଥିଲା । ଅନେକ ଲୋକ ଭଙ୍ଗା କୋଠା ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।

ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀ ଭୁଶୁଡ଼ି ପଡ଼ିଥିବା ସ୍ଥାନରୁ ଫଟୋ ସେୟାର କରି ଏହି ଘଟଣାରେ ଶାସକ ତ୍ରିନାଥ କଂଗ୍ରେସ ସରକାରଙ୍କୁ ନିନ୍ଦା କରିଛନ୍ତି।ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦଳକୁ ତୁରନ୍ତ ସାମିଲ କରିବାକୁ ଅନୁରୋଧ କରିଛନ୍ତି।

Comments are closed, but trackbacks and pingbacks are open.