ବର୍ଷାଜଳ ନିଷ୍କାସନ ପାଇଁ ଖୋଲିଲା ହୀରାକୁଦ ର ୫ ଟି ଗେଟ୍

21

ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ଦିନ ୧୧ଟାରେ ହୀରାକୁଦ ଜଳଭଣ୍ଡାରରୁ ୫ଟି ଗେଟ୍ ଖୋଲାଯାଇଛି I ଏନେଇ ସୁଚନା ଦେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ I ହୀରାକୁଦ ମୁଖ୍ୟ ବନ୍ଧରୁ ବିଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା ପରେ ଏହି ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଗଲା । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ ଖୋଲା ଯାଇ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଏହାପରେ ମୋଟ ୫ଟି ଗେଟ୍‍ ମଧ୍ୟ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ବନ୍ୟାଜଳ ଆସନ୍ତାକାଲି କଟକର ମୁଣ୍ଡଳିରେ ପହଞ୍ଚିବ ।
ରାଜ୍ୟରେ ମୌସୁମୀ ବର୍ଷା କାରଣରୁ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ତାହା ସହ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ମଧ୍ୟ ବୃଦ୍ଧି ପାଇଛି ଜଳସ୍ତର । ତେଣୁ ଗୋଟିଏ ସ୍ଲୁଇସ୍‌ ଗେଟ୍‌ ଦେଇ ସେକେଣ୍ଡକୁ ପାଖାପାଖି ୧୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ ବୋଲି ଜଣାଯାଇଛି। ଗେଟ୍ ଖୋଲାଯିବା ପୂର୍ବରୁ ତଳ ମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି ।

ଗାଇଡଲାଇନ୍‌ ଅନୁଯାୟୀ, ଡ୍ୟାମ କର୍ତ୍ତୃପକ୍ଷ ଜୁଲାଇ ଶେଷ ସୁଦ୍ଧା ଜଳପତ୍ତନକୁ ୬୦୫ ଫୁଟରେ ରଖିବେ । ବନ୍ୟା ନିୟନ୍ତ୍ରଣ ପାଇଁ ୨୫ ଫୁଟର ବ୍ୟବଧାନ ରଖାଯିବ । ତେଣୁ ଏବେ ଜଳପତ୍ତନ ୬୧୩ ଫୁଟ ଅତିକ୍ରମ କରି ସାରିଥିବା ବେଳେ ଏହାକୁ ୬୦୫ ଫୁଟ୍‌କୁ ହ୍ରାସ କରିବା ଡ୍ୟାମ କର୍ତ୍ତୃପକ୍ଷଙ୍କ ପ୍ରଥମ ପ୍ରାଥମିକତା ହେବ ବୋଲି ଜଣାଯାଇଛି। ତେବେ ଏବେ ଗେଟ୍‌ ଖୋଲାଯାଇଥିଲେ ମଧ୍ୟ ତଳିଆ ଅଞ୍ଚଳ ଲୋକେ ବିଶେଷ ଭୟଭୀତ ହେବା ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।

Comments are closed, but trackbacks and pingbacks are open.