ମତ୍ସ୍ୟ ବିଭାଗ ଲାଗୁ କଲା ଓଫ୍ରା: ୫ ଦିନ ପାଇଁ ମାଛଧରା ମନା

31

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ୍ ପାଇଁ ଆଜିଠାରୁ ୨୬ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଓ ଚିଲିକା ଭିତରକୁ ଡଙ୍ଗାନେଇ ମାଛ ଧରିବାକୁ ଯିବା ନିମନ୍ତେ ନିଷେଧ କରାଯାଇଛି । ହେଲେ ଅଧିକାଂଶ ମତ୍ସ୍ୟଜୀବୀ ସରକାରୀ ନିର୍ଦ୍ଦେଶନାମାକୁ ଅବଜ୍ଞା କରି ଏବେ ବି ମଝି ସମୁଦ୍ର ଓ ଚିଲିକା ମଧ୍ୟରେ ଅଛନ୍ତି । ବାରମ୍ବାର ସୂଚନା ଦେବା ସତ୍ତ୍ୱେ ସେମାନେ ଉପକୁଳକୁ ଫେରୁନାହାନ୍ତି । ଫଳରେ ମତ୍ସ୍ୟ ବିଭାଗ ପକ୍ଷରୁ ‘ଓଡ଼ିଶା ମେରାଇନ୍ ଫିସ୍ ରେଗୁଲେସନ୍ ଆକ୍ଟ ୧୯୮୨ ବା ‘ଓଫ୍ରା’ ଲାଗୁ କରାଯାଇଛି । ଶନିବାର କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନକ୍ରମେ ଏହି ଆକ୍ଟ ଲାଗୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିରେ କୁହାଯାଇଛି ଯେ ୨୨ରୁ ୨୬ ତାରିଖ ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ପାଇଁ ସମୁଦ୍ର ଓ ଚିଲିକାକୁ ନଯିବା ପାଇଁ କୁହାଯାଇଛି । ମତ୍ସ୍ୟଜୀବୀଙ୍କ ଧନଜୀବନର ସୁରକ୍ଷା ପାଇଁ ରାଜ୍ୟର ସମଗ୍ର ଉପକୂଳରେ ଓ ଚିଲିକା ହ୍ରଦରେ ମୋଟରଚାଳିତ ଡଙ୍ଗା ଏବଂ ଦେଶୀ ଡଙ୍ଗା ନେଇ ମାଛ ଧରିବା ଉପରେ ନିଷେଧାଦେଶ ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମତ୍ସ୍ୟ ଅଧିକାରୀଙ୍କୁ ଏ ଦିଗରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ବିଭାଗ ପକ୍ଷରୁ ମାଇକ୍ ଯୋଗେ ଘୋଷଣା କରାଯାଇ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ସୂଚନା ଦେଇ କହିଛନ୍ତି ଯେ ବିଭାଗୀୟ ଅଧିକାରୀ ଓ ମେରାଇନ୍ ପୁଲିସ୍‌ଙ୍କ ଦ୍ୱାରା ମିଳିତ ଭାବେ ଉପକୂଳରେ ପାଟ୍ରୋଲିଂ କରାଯାଉଛି । ଏଥିସହିତ କୋଷ୍ଟ୍‌ଗାର୍ଡ ପକ୍ଷରୁ ପାଟ୍ରୋଲିଂ କରାଯାଉଛି । କୌଣସି ମାଛଧରା ଡଙ୍ଗା ଯେପରି ସମୁଦ୍ର ଭିତରକୁ ନଯାଇପାରିବ ସେଥି ନିମନ୍ତେ ‘ସାଗରମିତ୍ର’ ଓ ମତ୍ସ୍ୟ ବିଭାଗର ଅଧିକାରୀଙ୍କ ଦ୍ୱାରା ଉପକୂଳରେ ସତର୍କ ଦୃଷ୍ଟି ରଖାଯାଇଛି । ଅନ୍ୟରାଜ୍ୟର ମାଛଧରା ଡଙ୍ଗାଗୁଡ଼ିକୁ ରାଜ୍ୟର ମାଛଧରା ବନ୍ଦର ଓ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକରେ ନିରାପଦ ଆଶ୍ରୟ ନିମନ୍ତେ ଅନୁମତି ଦିଆଯାଇଛି । ସାମୁଦ୍ରିକ ମତ୍ସ୍ୟ ସମବାୟ ସମିତି ଓ ମାଛଧରା ଡଙ୍ଗା ମହାସଂଘ ପକ୍ଷରୁ ବୈଠକ କରାଯାଇ ସମ୍ଭାବ୍ୟ ବାତ୍ୟା ନିମନ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.