ମେଡିକାଲରେ ଅଗ୍ନିକାଣ୍ଡ : ୧୦ ନବଜାତ ଶିଶୁ ମୃତ

77

ନୂଆଦିଲ୍ଲୀ :ଉତ୍ତରପ୍ରଦେଶ ଝାନ୍ସିସ୍ଥିତ ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜର ଶିଶୁ ଓ୍ବାର୍ଡରେ ଶୁକ୍ରବାର ରାତିରେ ନିଆଁଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିବା ସହ କେତେଜଣ ଆହତ ହୋଇଛନ୍ତି। କେତେଜଣ ଶିଶୁ ଜଳିଯାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ଅନ୍ୟ କେତେଜଣଙ୍କ ଜୀବନ ଯାଇଛି। ଅନ୍ୟ ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି। ରାତି ୧୦ଟା ୩୦ ସମୟରେ ହସ୍ପିଚଟାଲରେ ନିଆଁ ଲାଗିଥିବାବେଳେ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଦୁର୍ଘଟଣା ପରେ ସକାଳେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଝାନସିର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ପହଞ୍ଚି ଏହି ଘଟଣାର ନଜର ରଖିଥିଲେ। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏହି ଦୁର୍ଘଟଣାର ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆହତ ପିଲାମାନଙ୍କୁ ଚିକିତ୍ସା କରାଯାଉଛି ବୋଲି କହିଛନ୍ତି। ଆର୍ଥିକ ସହାୟତା ପାଇଁ ମଧ୍ୟ ଆମେ ପ୍ରସ୍ତୁତ। ନବଜାତ ଶିଶୁର ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପରିବାର ସଦସ୍ୟଙ୍କ ସହ ଆମେ ନବଜାତ ଶିଶୁର ମୃତଦେହ ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ। ପ୍ରଥମ ଅନୁସନ୍ଧାନ ପ୍ରଶାସନିକ ସ୍ତରରେ କରାଯିବ ଦ୍ୱିତୀୟ ତଦନ୍ତ ପୋଲିସ ଦ୍ୱାରା କରାଯିବ ବୋଲି ସେ କହିଛନ୍ତି। ଘଟଣାର ତଦନ୍ତ କରି ୧୨ ଘଣ୍ଟା ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ କମିଶନର ଏବଂ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଆଁ ଲାଗିବାରୁ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ହସ୍ପିଟାଲର ଝରକା ଭାଙ୍ଗି ମେଡିକାଲ କର୍ମଚାରୀମାନେ କେତେଜଣ ରୋଗୀଙ୍କୁ ବାହାର କରିଥିଲେ। ବିଦ୍ୟୁତ୍‌ ଶଟ୍‌ସର୍କିଟରୁ ନିଆଁ ଲାଗିଥିବା କାନପୁର ଜୋନ୍‌ ଏଡିଜି ଆଲୋକ ସିଂ କହିଛନ୍ତି। ମୃତ ଶିଶୁମାନେ ସେହି ସମୟରେ ଇନ୍‌କ୍ୟୁବେଟରରେ ଥିଲେ।

Comments are closed, but trackbacks and pingbacks are open.