ଶେଷ ପର୍ଯ୍ୟାୟ ନିର୍ବାଚନ: ତିନି ଦଳର ଆପ୍ରାଣ ପ୍ରଚେଷ୍ଟା

49

ଭୁବନେଶ୍ବର: ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଶେଷ ଉଦ୍ୟମ ଜାରୀ ରଖିଛନ୍ତି। ଆସନ୍ତା ଜୁନ ଏକ ତାରିଖରେ ଓଡିଶାର ଛଅଟି ଲୋକସଭା ଆସନ ଏବଂ ଏହାର ବିଧାନସଭା ଆସନରେ ନିର୍ବାଚନ ହେବ। ସେଗୁଡିକ ହେଲା ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ, ମୟୁରଭଂଜ, ଜଗତସିଂହପୁର, ଯାଜପୁର। ଏଥିସହିତ ଏହି ଛଅଟି ଆସନର ୪୨ଟି ବିଧାନସଭାରେ ମଧ୍ୟ ନିର୍ବାଚନ ହେବ। ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ୨୯ ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସରୁ ରାହୁଳ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି। ସେହିପରି ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି। ତେବେ ଏହି ଶେଷ ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ଛଅଟି ଲୋକସଭା ଆସନରୁ ବିଜେଡି ୪ଟି ରେ ଜିତିଥିବା ବେଳେ ବିଜେପି ଦୁଇଟି ଆସନରେ ବିଜୟ ଲାଭ କରିଛି। ବିଜେପି ବାଲେଶ୍ବର ଏବଂ ମୟୁରଭଂଜ ଆସନରେ ଜିତିଥିବା ବେଳେ, ବିଜେଡି କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଏବଂ ଯାଜପୁର ବିଜୟ ଲାଭ କରିଛି। ସେହିପରି ୪୨ଟି  ବିଧାନସଭା ଆସନରେ ବିଜେଡି ୩୩ଟି ଜିତି ଥିବା ବେଳେ ବିଜେପି ୯ଟି ଆସନରେ ଜିତିଛି। ହେଲେ କଂଗ୍ରେସ ଗୋଟିଏ ବି ଆସନରେ ବିଜୟ ଲାଭ କରିପାରି ନାହିଁ। ବିଜେଡି ଚଳିତ ନିର୍ବାଚନରେ ବାଲେଶ୍ବର ଏବଂ ମୟୂରଭଞ୍ଜ ଲୋକସଭା ଆସନକୁ ଫେରାଇ ଆଣିବା ପାଇଁ ବଡ ଗୋଟି ଚାଳନା କରିଛି। ସେହିପରି ବିଧାନସଭାରେ ମଧ୍ୟ ବିଜେଡି ୪୨ଟି ଆସନରୁ ୪୦ଟି ଆସନ ଅକ୍ତିୟାର କରିବା ମୁଡରେ ରହିଛି। ସେହି ଅନୁସାରେ ତାହାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି। ଅନ୍ୟପକ୍ଷରେ ବିଜେପି ଲୋକସଭା ଆସନରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି। ସେହିପରି କଂଗ୍ରେସ ମଧ୍ୟ ବହୁତ ବଡ ଆଶା କରି ରହିଛି।

Leave A Reply

Your email address will not be published.