ଚାଷୀଙ୍କୁ ସାର ଯୋଗାଣ ରାଜନୀତି:ଶାସକ ଓ ବିରୋଧୀ ମୁହାଁମୁହିଁ

27

ଆଜି ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି ଇ ଏହି ପରିପ୍ରେକ୍ଷୀ ରେ ପୁଣି ସାର ଯୋଗାଣ ରାଜନୀତି ଜୋର ଧରିଛି ଇ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ସାର ଯୋଗାଣରେ କେନ୍ଦ୍ର ସରକାର ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରି ବିଜେଡି ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡି ନେତାମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କେନ୍ଦ୍ର ସରକାରଙ୍କ ଏଭଳି ଅବହେଳାକୁ କଡ଼ା ସମାଲୋଚନା କରିଥିଲେ। ଏହାପରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଛନ୍ତି। ବିଜେଡି ପକ୍ଷରୁ ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସମେତ ଅନ୍ୟ କେତେକ ସ୍ଥାନରେ ଏଭଳି ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଥିଲା। ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ କୁମାର ରାଉତ ଓ ରାଜେନ୍ଦ୍ର ସାହୁଙ୍କ ଏକ ପ୍ରତିନିଧି ଦଳ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଏନେଇ ସ୍ମାରକପତ୍ର ଦେଇଥିଲା।
ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଣ କରିବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବା ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି I

ସେହିପରି ପାଲଟା ଅଭିଯୋଗ କରି ବିଜେପି ନେତା ଗୋଲକ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ବର୍ତ୍ତମାନ ବର୍ଷା ଅଭାବ ରୁ ଯେଉଁ ଭଳି ମରୁଡି ପରିସ୍ଥିତି ଉପୁଜିଲାଣି ତାହାକୁ ଆଲୋଚନାକୁ ନ ଆଣି, ନିଜ ଅପାରଗତା ଓ ସ୍ଥାଣୁତା ଲୁଚାଇବାକୁ ଯାଇ ଶାସକ ବିଜେଡି ଆଜି ପୁଣି ଆଉ ଗୋଟେ ନାଟକ କରିଛି। ସାର ପ୍ରସଙ୍ଗରେ ଧାରଣା ଦେଇ ମିଥ୍ୟାକୁ ସତ୍ୟରେ ପରିଣତ କରିବାର ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ। ଖରିଫ ଋତୁ ପାଇଁ ଆବଶ୍ୟକୀୟ ପରିମାଣର ସାର ରାଜ୍ୟରେ ମହଜୁଦ ଅଛି ବୋଲି ସରକାରୀ ୱେବ୍‌ସାଇଟରେ ସ୍ପଷ୍ଟ ଉଲ୍ଲେଖ ଥିବାବେଳେ ନିଜ ବିଫଳତାକୁ ଲୁଚାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦି ଲୋକ ଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।
ସୂଚନାନୁସାରେ , ଡିଏପି ସାର ୧.୮୫ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ୧.୭୨ଲକ୍ଷ ମେଟ୍ରିକ ଟନ, ଏମଓପି ସାର ୦.୮୫ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ୦.୯୬ଲକ୍ଷ ମେଟ୍ରକ ଟନ୍‌; ଏମପିକେଏସ ସାର ୧.୮୨ ଲକ୍ଷ ମେଟ୍ରିକ ଟନ୍ ଆବଶ୍ୟକ ଥିବାବେଳେ ୨.୧୩ ଲକ୍ଷ ମେଟ୍ରିକ ଟନ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା କାରଣରୁ ସାରର କଳାବଜାରୀ ହେବା ସହ ଓଡ଼ିଶା ପାଇଁ ଆସୁଥିବା ସାର ପଡ଼ୋଶୀ ପଶ୍ଚିମବଙ୍ଗରେ ବିକ୍ରି ହେଉଛି। ମାର୍କଫେଡ୍‌, ଆଗ୍ରୋ ଏବଂ ପ୍ୟାକ୍ସମାନଙ୍କ ମଧୁଚନ୍ଦ୍ରିକାରେ ରାଜ୍ୟର କୃଷକମାନଙ୍କଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ବହୁ ଅଧିକ ମୂଲ୍ୟରେ ସାର ବିକ୍ରି ହେଉଛି । ଏହା ଶାସକ ବିଜେଡି ର ପରିଚାଳନାଗତ ବିଫଳତା ବୋଲି ବିଜେପି କହିଛି,ଆହୁରି ମଧ୍ୟ କହିଛି ଯେ ରାଜ୍ୟ ସରକାର ନିଜ ର ତ୍ରୁଟି ସୁଧାରିବା ପରିବର୍ତ୍ତେ କେନ୍ଦ୍ର ଉପରେ ଦୋଷ ଲଦି ବିଭ୍ରାନ୍ତ କରିବାର ଅପଚେଷ୍ଟା ଅତ୍ୟନ୍ତ ନିନ୍ଦନୀୟ ।

Leave A Reply

Your email address will not be published.