ଦୋକାନ ଘରେ ଜଳିଗଲେ ବାପ ଓ ପୁଅ

36

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନପଦର ଗାଁରେ ଆଜି ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଦୋକାନରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି ବାପା ଓ ତାଙ୍କ ଦିବ୍ୟାଙ୍ଗ ପୁଅ। ମୃତକମାନେ ହେଲେ ରାଜେଶ କୁମାର ସାହୁ (୫୭) ଏବଂ ତାଙ୍କ ପୁଅ ଲକ୍ଷ୍ମୀଧର ସାହୁ (୨୭)। ସାନପଦର ଗାଁ ମୁଣ୍ଡରେ ରାଜେଶ ଓ ତାଙ୍କ ପୁଅ ଏକ ତେଜରାତି ଓ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ପ୍ରତିଦିନ ଭଳି ଗତକାଲି ରାତିରେ ମଧ୍ୟ ସେମାନେ ଦୋକାନରେ ଶୋଇଥିଲେ। ମାତ୍ର ଆଜି ସକାଳେ ବହୁ ସମୟ ପର୍ଯ୍ୟନ୍ତ ଦୋକାନ ନ ଖୋଲିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢ଼ିଥିଲା। ପରେ ଦୋକାନ ଭିତରେ ଅଘଟଣ ଘଟିଥିବା ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ବେଗୁନିଆ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବୋଲଗଡ଼ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଦୋକାନର ଆଜବେଷ୍ଟ ଭାଙ୍ଗି ଉଭୟଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛନ୍ତି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed, but trackbacks and pingbacks are open.