ମର୍ମନ୍ତୁଦ କାର ଦୁର୍ଘଟଣା ୩ ମୃତ ,୨ ଗୁରୁତର

18

ନବରଙ୍ଗପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର I ଏହି ଦୁର୍ଘଟଣାରେ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି I ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୫ ଜଣ ଯୁବକ କାରରେ ଉମରକୋଟରୁ ନବରଙ୍ଗପୁରକୁ ଯାଉଥିଲେ। ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଏକ ବୁଲାଣି ବୁଲିବା ସମୟରେ ଦ୍ରୁତ ଗତିରେ ଯାଉଥିବା କାର ଟି ଗଛରେ ପିଟି ହୋଇ ଯାଇଥିଲା I ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ କାରରେ ଥିବା ୩ ଯୁବକଙ୍କ ପ୍ରାଣହାନି ଘଟିଥିଲା। ଏଥିରେ ଆଉ ୨ ଜଣ ଗୁରୁତର ହୋଇଥିଲେ। ମୃତକ ୩ ଜଣ ହେଲେ ନବରଙ୍ଗପୁର ସହର ସ୍ଥିତ ଗାଦୁଆଗୁଡ଼ା ସାହିର ଏମ୍‌ଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍ । ଦୁର୍ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି I

Comments are closed, but trackbacks and pingbacks are open.