ଚାଷୀ ବୀମା ପ୍ରସଙ୍ଗରେ ବର୍ଷିଲେ ସସ୍ମିତ

22

ଭୁବନେଶ୍ୱର: ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, ‘ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟଭାବେ ଜାଣିଛନ୍ତି, ତାଙ୍କ ଚିଠିର କୌଣସି ଭିତ୍ତିନାହିଁ । ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌କୁ କେନ୍ଦ୍ର ସରକାର ଏନ୍‌ପ୍ୟାନେଲ କରିଛନ୍ତି । କେନ୍ଦ୍ର ସରକାର କିଭଳି ଏକ ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ୍‌କୁ ଏନ୍‌ପ୍ୟାନେଲ କଲେ ତା’ର ଉତ୍ତର କେନ୍ଦ୍ରମନ୍ତ୍ରୀ ପ୍ରଥମେ ଦେବା ଉଚିତ । ବିଜେପି ଶାସିତ ରାଜ୍ୟରେ ଏହି ବ୍ୟାଙ୍କ୍ କାମକରୁଛି । ସେଠାରେ ମଧ୍ୟ ଅନିୟମିତତା ହୋଇଥିବ । ଏହାର ଉତ୍ତର ଦିଅନ୍ତୁ । ଓଡ଼ିଶାର ଲୋକମାନେ ବିଜେପିର ଚାଷୀ ବିରୋଧୀ ମନୋଭାବ ଦେଖୁଛନ୍ତି । ପ୍ରକୃତ ଫସଲ ବୀମା ପ୍ରାପ୍ୟ ଦୀର୍ଘ ସମୟ ଧରି ଅଟକି ରହିଥିଲା । ଓଡ଼ିିଶାର ମୁଖ୍ୟମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀଙ୍କ ନିୟମିତ ଯୋଗାଯୋଗ ସତ୍ତ୍ୱେ କେନ୍ଦ୍ର ଚାଷୀଙ୍କ ଫସଲ୍ ବୀମା ଅଟକାଇଥିଲା । ହେଲେ ଚାଷୀଙ୍କ ଚାପ ଓ ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ଯୋଗାଯୋଗ ପରେ ଫସଲ ବୀମା ଅର୍ଥ ମଞ୍ଜୁର କରାଯାଇଛି । ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠିର କୌଣସି ଭିତ୍ତିନାହିଁ ବୋଲି ବିଜେଡି କହିଛି । ବୁଧବାର ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଜବାବ୍ ଦେଇ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ଓଡ଼ିଶାର ଫସଲ ବୀମାକୁ ଅଟକାଇବା ନେଇ ବିଜେପି ପ୍ରତି କୃଷକଙ୍କ କ୍ରୋଧ ଦେଖିବାକୁ ମିଳିଛି । ୨୦୧୯ରେ ବିଜେପି କାଳିଆ ଯୋଜନାକୁ ରୋକିବାକୁ ଚେଷ୍ଟା କରିଥିଲା । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କାର୍ଯ୍ୟାଳୟକୁ ଯାଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରି ଏ ବିଷୟରେ ବୁଝାଇଥିଲେ । ଶେଷରେ ଏହି ଯୋଜନା ସଂକ୍ରାନ୍ତରେ ସ୍ପଷ୍ଟ ହୋଇଥିଲା । ବିଜୁ ଜନତା ଦଳ କୃଷକ ପ୍ରସଙ୍ଗରେ ରାଜନୀତି କରିବାକୁ ବିଶ୍ୱାସ କରେନାହିଁ । ରାଜନୀତି କରିବାକୁ ଆହୁରି ଅନେକ ପ୍ରସଙ୍ଗ ଅଛି । ଏହି ଯୋଜନାଟି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭାବରେ ନାମିତ ହୋଇଛି । ତେଣୁ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ପଡ଼ିବ । କିନ୍ତୁ ଏତେ ମାସ ଧରି କେନ୍ଦ୍ର ଏହାକୁ ବିଳମ୍ବ କରି ଚାଲିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଲଭାବେ ଜାଣିଛନ୍ତି ଯେ ତାଙ୍କ ଚିଠିରେ କୌଣସି ସତ୍ୟତା ।ହିଁ । ତଥାକଥିତ ଏଚ୍‌ଡିଏଫସି କମ୍ପାନୀ କେନ୍ଦ୍ରଦ୍ୱାରା ତାଲିକାଭୁକ୍ତ ହୋଇଥିଲା । ଯଦି ଏହି କମ୍ପାନୀ ଏତେ ଦୁର୍ନୀତିଗ୍ରସ୍ତ ତାହାଲେ କେନ୍ଦ୍ର କିପରି କମ୍ପାନୀକୁ ତାଲିକାଭୁକ୍ତ କଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ମିଳିବା ଦରକାର । ତେବେ ଏହି କମ୍ପାନୀ କିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟଗୁଡିକରେ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏକ ଚକ୍ରାନ୍ତ ହୋଇଥିବା ଉଲ୍ଲେଖ କରି ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ନିଜ ସରକାର ଅନିୟମିତତା କରିଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଏକ ସ୍ୱଚ୍ଛ କେନ୍ଦ୍ର ସରକାରୀ କାର୍ଯ୍ୟକ୍ରମ ଚଳାଇବାରେ ସେମାନେ ବିଫଳ ହୋଇଛନ୍ତି କି ନାହିଁ ତାହା ବର୍ତ୍ତମାନ କେନ୍ଦ୍ର ସ୍ୱୀକାର କରିବା ଉଚିତ । ରାଜ୍ୟର କୃଷକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବାର ଏହା ହେଉଛି ଅନ୍ୟ ଏକ ଉତ୍କୃଷ୍ଟ ଉଦାହରଣ । ଏତେଦିନ ଧରି କେନ୍ଦ୍ର କାହିଁକି ଏପରି କରୁଥିଲା ବୋଲି କେନ୍ଦ୍ର ସରକାର ପଦ୍ମପୁରର ଚାଷୀଙ୍କୁ ଉତ୍ତର ଦେବା ଉଚିତ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Comments are closed, but trackbacks and pingbacks are open.