୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଫେସ୍‌ବୁକ୍‌

23

ୱାଶିଂଟନ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍ (ମେଟା) ଖୁବଶୀଘ୍ର ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି । ରାଜସ୍ୱ ଆଦାୟ ହ୍ରାସ ପାଉଥିବା ଏବଂ ଖର୍ଚ୍ଚକାଟ୍ ନୀତି ଅବଲମ୍ବନ କରିବାକୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫେସ୍‌ବୁକ୍ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି । ଏହା ଆମ ପାଇଁ ଯନ୍ତ୍ରଣାଦାୟକ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ବିକଳ୍ପ ନାହିଁ ବୋଲି ସେ କହିଛନ୍ତି । ଛଟେଇ ତାଲିକାଭୁକ୍ତ କର୍ମଚାରୀଙ୍କୁ ୧୬ ସପ୍ତାହର ବେତନ ସମେତ କାର୍ଯ୍ୟ ସମ୍ପାଦନ କରିଥିବା ବର୍ଷ ପିଛା ୨ ସପ୍ତାହ ହିସାବରେ (ଯଦି କୌଣସି କର୍ମଚାରୀ ୫ ବର୍ଷ କାର୍ଯ୍ୟ କରିଥାନ୍ତି, ତେବେ ତାଙ୍କୁ ମିଳିବ ୧୦ ସପ୍ତାହର ଅତିରିକ୍ତ ବେତନ) କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହାବ୍ୟତୀତ ସଂପୃକ୍ତ କର୍ମଚାରୀଙ୍କୁ ୬ ମାସର ସ୍ୱାସ୍ଥ୍ୟଭତ୍ତା ମଧ୍ୟ ପ୍ରଦାନ କରାଯିବ । ୨୦୦୪ରେ ଫେସ୍‌ବୁକ ପ୍ରତିଷ୍ଠା କରାଯିବା ପରଠାରୁ ପ୍ରଥମଥର ଏଭଳି ଛଟେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଧ୍ୟା ଫେସ୍‌ବୁକ୍‌ରେ କର୍ମଚାରୀଙ୍କ ସଂଖ୍ୟା ୮୭,୦୦୦ ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ ସୋସିଆଲ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରର ମାଲିକାନା ସ୍ୱତ୍ୱ ଏଲନ ମସ୍କ୍‌ଙ୍କ ହାତକୁ ଯିବାପରେ ସେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି ।

Comments are closed, but trackbacks and pingbacks are open.