ବାଲିଯାତ୍ରାରେ ଚରମ ବିଭ୍ରାଟ

36

ଭୁବନେଶ୍ବର: ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେଲା । ହେଲେ ଏହା ଉଦ୍‌ଯାପିତ ହେବାର ୨୪ଘଣ୍ଟା ନପୂରୁଣୁ ଏଥିରେ ବ୍ୟାପକ ବିଭ୍ରାଟ ଅଭିଯୋଗ ଆଣିଛନ୍ତି କଟକ ମହାନଗର ଶାନ୍ତିକମିଟି ଓ ପୂଜା କମିଟି କର୍ମକର୍ତ୍ତା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ କମିଟି ବାଲିଯାତ୍ରା ମହୋତ୍ସବ ରାଜ୍ୟସରକାରଙ୍କ ତତ୍ତ୍ୱାବଧାନରେ ହେବାକୁ ଦାବି କରିଛନ୍ତି । ତେବେ ବାଲିଯାତ୍ରାରେ ବିଭ୍ରାଟ ହୋଇଥିବା ଅଭିଯୋଗ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟକ୍‌ୁ ନାପସନ୍ଦ କରିଛନ୍ତି ଦୁଇକମିଟିର ପ୍ରମୁଖ କର୍ମକର୍ତ୍ତା । ଏପରିକି ଜିଲ୍ଲାପାଳ ଅହଂକାରର ପାହାଡ଼ ଉପରେ ଠିଆ ହୋଇଥିବା ସେମାନେ କହିଛନ୍ତି । କଟକ ମହାନଗର ପୂଜାକମିଟି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରି ରାଜ୍ୟର ଗୌରବଜ୍ୱଳ ଐତିହ୍ୟ ଓ ପରମ୍ପରାର ସ୍ମାରକୀ ଭାବେ ବିପୁଳ ବାହ୍ୟ ଆଡ଼ମ୍ବର ଓ ଲୋକ ଦେଖାଣିଆ ସାଜସଜା ସହିତ ଚଳିତବର୍ଷର ବାଲିଯାତ୍ରା ପାଳିତ ହୋଇଛି ବୋଲି କହିଥିଲେ । ପ୍ରାୟ ହଜାରେ ବର୍ଷର ସଂସ୍କୃତି, ଓଡ଼ିଆ ଜାତିର ସାହସିକତା ତଥା ନୌବାଣିଜ୍ୟ କ୍ଷେତ୍ରରେ ଉତ୍କଳୀୟ ପରମ୍ପରାର ସନ୍ଦେଶ ଦେବାରେ ବାଲିଯାତ୍ରା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ଉଠିଛି । ଦୀର୍ଘଦିନ ଧରି ବାଲିଯାତ୍ରା ମହୋତ୍ସବକୁ ଜାତୀୟ ଉତ୍ସବର ମାନ୍ୟତା ପାଇଁ କଟକବାସୀ ଦାବି କରିଆସୁଛନ୍ତି । ପୁନଶ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶରେ କଟକର ବାଲିଯାତ୍ରା ଅନୁନ୍ୟ ହଜାରେ ବର୍ଷରେ ନୌବାଣିଜ୍ୟ ପରମ୍ପରାର ସ୍ମାରକୀ ଭାବରେ ଉଦ୍‌ବୋଧନ ଦେଇ ଭୂୟସୀ ପ୍ରଶଂସା କରୁଥିବା ବେଳେ, ଚଳିତ ବର୍ଷର ବାଲିଯାତ୍ରା ମହୋତ୍ସବ ପାଳନ ଦାୟିତ୍ୱରେ ଥିବା କଟକ ସଂସ୍କୃତି ସମିତି ପକ୍ଷରୁ ଓଡ଼ିଆ ଜାତିର ଏହି ମହାନ ଉତ୍ସବକୁ ଯେଉଁଭଳି ଢ଼ଙ୍ଗରେ ଉପସ୍ଥାପିତ କରାଯିବାକଥା ସେଥିରେ ବିଫଳ ହୋଇଥିବା କୁହାଯାଇଛି । ସେହିଭଳି ସିଏମ୍‌ସି ପକ୍ଷରୁ ଯଦିଓ ବାଲିଯାତ୍ରାର ସଫଳତା ପାଇଁ ସକ୍ରିୟ ସହଯୋଗ ଦିଆଯାଏ, ଏହି ଉତ୍ସବର ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସିଏମ୍‌ସିକୁ କୌଣସି କ୍ଷେତ୍ରରେ ପଚରାଯାଉନାହିଁ । ସେହିଭଳି କଟକ ଜିଲ୍ଲାର ନିର୍ବାଚିତ ପ୍ରତିନିଧି, କଟକ ମହାନଗର ଅନ୍ତର୍ଭୁକ୍ତ ତିନି ବିଧାନସଭା କ୍ଷେତ୍ରର ବିଧାୟକ ଓ ସାଂସଦଙ୍କୁ ମଧ୍ୟ କେବଳ ବିଧିରକ୍ଷା ପାଇଁ ଉଦ୍‌ଘାଟନ ଦିବସରେ ମଞ୍ଚରେ ବସାଇ ସଂସ୍କୃତି ସମିତି ତା’ର କର୍ତ୍ତବ୍ୟ ସାରିଦେଉଛି । ଏପରିକି ସିଏମ୍‌ସିର ନିର୍ବାଚିତ ମେୟର ଓ କର୍ପୋରେଟରଙ୍କୁ ମଧ୍ୟ ବାଲିଯାତ୍ରା ଉତ୍ସବର ପ୍ରସ୍ତୁତି, ପରିଚାଳନା ସମ୍ପର୍କରେ ଅନ୍ଧକାରରେ ରଖାଯାଏ । କେବଳ କଟକ ଜିଲ୍ଲା ସଂସ୍କୃତି ସମିତି ସଭାପତି ଜିଲ୍ଲାପାଳ ଓ କତିପୟ ହାତଗଣତି ଅଧିକାରୀଙ୍କ ନିଷ୍ପତ୍ତିରେ ବାଲିଯାତ୍ରା ଭଳି ମହାନ୍ ଉତ୍ସବ ପାଳନକୁ ଛାଡ଼ିଦିଆଯାଏ । ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ତଥା କଟକ ସଂସ୍କୃତିର ସାଂସ୍କୃତିକ ଜଗତକୁ ପ୍ରତିନିଧିତ୍ୱ କରୁଥିବା ଶାନ୍ତିକମିଟିକୁ ମଧ୍ୟ ଚଳିତବର୍ଷ ଉପେକ୍ଷା କରାଯାଇଛି ବୋଲି ଉଭୟ କମିଟି ପକ୍ଷରୁ ଅଭିଯୋଗ ହୋଇଛି ।
ଏଥିସହିତ ଅତିଥିଚୟନ, ନିମନ୍ତ୍ରଣ ପତ୍ର ବଣ୍ଟନର ବିଭ୍ରାଟ, ମଞ୍ଚର ନାମକରଣ ଓ ସେଥିରେ କଳାକାରମାନଙ୍କ ଚୟନ ସହିତ ପଥୋତ୍ସବ ପାଳନରେ ରାଜନୀତିକରଣ, ଅଶ୍ଳୀଳ ସଙ୍ଗିତ ପରିବେଷଣ ଘଟଣା ରାଜ୍ୟବାସୀ ତଥା କଟକ ସହରବାସୀଙ୍କ ମନରେ ଦାରୁଣ ଆଘାତ ଦେଇଛି ବୋଲି କମିଟି ଦ୍ୱୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ‘ମଧୁମଞ୍ଚ’ ଅନୁଷ୍ଠାନକୁ ବାଲିଯାତ୍ରାରେ ଜାଗାଟିକେ ମିଳିବା ପାଇଁ ଉଦ୍ୟକ୍ତାମାନେ କିଭଳି ହଇରାଣ ହରକତ ହୋଇଛନ୍ତି, ତାହା ସେମାନଙ୍କ ମନ ଜାଣିଯାଇଛି । କଟକ ଇନ୍ କଟକ, ଦୋକାନ ବଜାରର ବିପଣନ, ନାଚ ଗୀତର ବ୍ୟୟବହୁଳତା ଭିତରେ ଓ କତିପୟ ବ୍ୟକ୍ତିବିଶେଷଙ୍କ ଅହଂକାର ମଧ୍ୟରେ ଓଡ଼ିଶା ତଥା ଉତ୍କଳୀୟ ପରମ୍ପରାର ସ୍ମାରକୀ ବାଲିଯାତ୍ରା ମହୋତ୍ସବ-୨୦୨୨କୁ ପ୍ରକାଶ୍ୟ ଦିବାଲୋକରେ ହତ୍ୟା କରାଯାଇଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି । ବାଲିଯାତ୍ରା ଉତ୍ସବ ନିଜସ୍ୱ ଢଙ୍ଗରେ ଜାତୀୟ ମାନ୍ୟତା ତ ନିଶ୍ଚୟ ପାଇବ, ଏହା କାହାରି ଦୟା ଉପରେ ନିର୍ଭର କରେନାହିଁ । କିନ୍ତୁ ଏହାର ପରିଚାଳନା ଦାୟିତ୍ୱ, ନିଷ୍ପତ୍ତିନେବାରେ ଅଧିକାର ପ୍ରତ୍ୟେକ୍ଷ ଭାବେ ଓଡ଼ିଶା ସରକାର ନିଅନ୍ତୁ ବୋଲି କଟକ ସହରବାସୀ ଦାବି କରୁଛନ୍ତି । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବାଞ୍ଚଳ ଶାନ୍ତିକମିଟି ସଭାପତି ବିଜୟ କୁମାର ସାହୁ, କଟକ ମହାନଗର ଶାନ୍ତିକମିଟି ସଭାପତି ଦେବେନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଭିକାରୀ ଦାସ, ଧର୍ମେଶ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏ ନେଇ ଜିଲ୍ଲପାଳ ଭବାନୀଶଙ୍କର ଚୟନୀଙ୍କୁ ଯୋଗାଯୋଗ କରିବାରେ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ବାଲିଯାତ୍ରାରେ କୌଣସି ବିଭ୍ରାଟ ହୋଇନାହିଁ; ବରଂ ସଫଳ ଆୟୋଜନ ହୋଇଛି । ପ୍ରସ୍ତୁତି ବୈଠକରେ ସବୁ ବର୍ଗର ପ୍ରତିନିଧିକୁ ଡାକିବାକୁ ପ୍ରଶାସନ ବାଧ୍ୟ ନୁହେଁ । ଏଥି ସହିତ ଆର୍ଥିକ ହେରଫେର ଅଭିଯୋଗ ଆସିଲେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ । ଅଡିଟ୍‌କୁ ଜିଲ୍ଲାପାଳ ସ୍ୱାଗତ କରିବା ସହ ସମସ୍ତ ରେକର୍ଡ ଅଛି ବୋଲି କହିଛନ୍ତି ।
ପ୍ରଭାତଙ୍କ କଥାକୁ ଖଣ୍ଡନ କଲେ ଦେବାଶିଷ
କଟକ ବାଲିଯାତ୍ରାକୁ ନେଇ ବିଜେଡିର ଦୁଇ ପୂର୍ବତନ ବିଧାୟକଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଛି । ଚଳିତ ବର୍ଷ ଜିଲ୍ଲାପ୍ରଶାସନ ବାଲିଯାତ୍ରାକୁ ପରିଚାଳନା କରିଥିବାବେଳେ ଜିଲ୍ଲାପାଳ ଏକଛତ୍ରବାଦ ଶାସନ ଚଳାଇଥିବା ଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ । ବାଲିଯାତ୍ରା ପ୍ରସ୍ତୁତିରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସଂସ୍କୃତି ସମିତି ମନଇଚ୍ଛା ନୀତିନିର୍ଦ୍ଧାରଣ କରିଛି । ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ପ୍ରଭାତ ଅଭିଯୋଗ ଆଣିଛନ୍ତି । କିନ୍ତୁ ଜିଲ୍ଲାପାଳଙ୍କ ସପକ୍ଷରେ ମତଦେଇଛନ୍ତି ପୂର୍ବତନ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଯେ ଚଳିତ ବର୍ଷ ବାଲିଯାତ୍ରା ସଫଳ ହୋଇଛି । କୌଣସି ଅନିୟମିତତା ହୋଇନାହିଁ, ସବୁ କିଛି ଠିକ୍ ଠାକ୍ ରହିଛି । ରାଜ୍ୟସରକାରଙ୍କ ଯୋଗୁଁ ବାଲିଯାତ୍ରା ଅଧିକ ଆକର୍ଷଣୀୟ ହୋଇପାରିଛି । ତେଣୁ ଜିଲ୍ଲାପାଳଙ୍କୁ ସେ ଏହାର ଶ୍ରେୟ ଦେଇଛନ୍ତି । ତେବେ ଜଣେ ବିଜେଡିର ପୁରୁଖା ନେତା ଜିଲ୍ଲାପାଳଙ୍କ ପ୍ରତି ଅଙ୍ଗୁଳି ଉଠାଇଥିବାବେଳେ ଆଉଜଣେ ଜିଲ୍ଲାପାଳଙ୍କ ସପକ୍ଷରେ କହିବା ଉଭୟଙ୍କ ମଧ୍ୟରେ ମତଭେଦକୁ ପ୍ରମାଣିତ କରିଛି । ଆଗାମୀ ଦିନରେ ଏହା କି ରୂପନେବ ତାହାକୁ ନେଇ ସହରର ବୁଦ୍ଧିଜୀବୀ ଓ ରାଜନୈତିକ ସମୀକ୍ଷକମାନେ ଅପେକ୍ଷା କରିଛନ୍ତି ।

Comments are closed, but trackbacks and pingbacks are open.