ମହଙ୍ଗାମାଡ; ଆକାଶଛୁଆଁ ପରିବା ଦର

33

ନୂଆଦିଲ୍ଲୀ: ପବିତ୍ର ଇସଲାମ ମାସ ରମଜାନ ଆରମ୍ଭ ପୂର୍ବରୁ ପାକିସ୍ତାନର ସାଧାରଣ ଲୋକଙ୍କୁ ଲାଗିଛି ମହଙ୍ଗା ମାଡ । ଆର୍ଥିକ ସଙ୍କଟ ମଧ୍ୟରେ ମହଙ୍ଗାମାଡ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ । ଏଭଳି ପରିସ୍ଥିତିରେ ଲୋକଙ୍କ ମୁଣ୍ଡରେ ରମଜାନକୁ ନେଇ ଚିନ୍ତା ।

ନିକଟରେ ଦେଶରେ ନୂତନ ସରକାର ଗଠନ ହୋଇଛି । କିନ୍ତୁ ଏହା ପରେ ମଧ୍ୟ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ମିଳୁନାହିଁ। ରିପୋର୍ଟ ଅନୁଯାୟୀ ଦେଶରେ ଖାଦ୍ୟ ସାମଗ୍ରୀର ଦର ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି । ଗତ କିଛି ଦିନ ମଧ୍ୟରେ ପାକିସ୍ତାନରେ ପନିପରିବା, ତେଲ, ଘିଅ, ମାଂସ, ଅଣ୍ଡା, ଡାଲି, ଚିନି ଇତ୍ୟାଦିର ମୂଲ୍ୟ ଆକାଶଛୁଆଁ ହୋଇଛି ।

ପାକିସ୍ତାନରେ ପିଆଜ ଦର ସାଧାରଣ ଲୋକଙ୍କୁ କନ୍ଦେଇଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ସେଠାରେ ପିଆଜର ମୂଲ୍ୟ ୩୦୦ ପାକିସ୍ତାନୀ ଟଙ୍କା ଛୁଇଁଛି। ଏଥି ସହିତ ଆଳୁର ମୂଲ୍ୟ କିଲୋଗ୍ରାମ ପିଛା ୫୦ ରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି। କ୍ୟାପସିକମ୍ ମୂଲ୍ୟ ଦ୍ୱିଗୁଣିତ ହୋଇ କିଲୋଗ୍ରାମ ପ୍ରତି ୧୦୦ ରୁ ୨୦୦ ଟଙ୍କାକୁ ବୃଦ୍ଧି ପାଇଛି।

ରମଜାନ ସମୟରେ ପନିପରିବା ସହ ଫଳର ଦର ମଧ୍ୟ ଆକାଶଛୁଆଁ ହୋଇଛି । ଦେଶରେ କଦଳୀ ମୂଲ୍ୟ ଡର୍ଜନକୁ ୨୦୦ଟଙ୍କାରେ ବିକ୍ରି ହେଉଛି । ଏଥିସହିତ ସେଓ କିଲୋଗ୍ରାମ ପିଛା ୧୪୦ ରୁ ୨୦୦ ଟଙ୍କାକୁ ବୃଦ୍ଧି ପାଇଛି। ତରଭୁଜର ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ବଦଳରେ ୨୦୦ ଟଙ୍କାରେ ବିକ୍ରି ହେଉଛି । ସାଧାରଣତଃ ରମଜାନ ମାସରେ ଫଳଗୁଡ଼ିକର ଅତ୍ୟଧିକ ବ୍ୟବହାର ହୋଇଥାଏ ।

ରିପୋର୍ଟ ଅନୁଯାୟୀ, ପବିତ୍ର ରମଜାନ ମାସରେ ମଧ୍ୟ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ମିଳୁନାହିଁ । ଦୀର୍ଘ ଦିନ ଧରି ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ୩୧.୫ ପ୍ରତିଶତରେ ରହିଥିବାବେଳେ କିଛି ଜିନିଷର ମୂଲ୍ୟ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ବର୍ତ୍ତମାନ ପାକିସ୍ତାନର ସାଧାରଣ ଲୋକମାନଙ୍କ ପାଇଁ ଏହି ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବା ସମ୍ଭବ ନୁହେଁ ।

Comments are closed, but trackbacks and pingbacks are open.