ଆୟ ବହିଃଭୁକ୍ତ ସମ୍ପତ୍ତି ଠୁଳ ମାମଲା: ଜେଲଗଲେ କୋଟିପତି ଯନ୍ତ୍ରୀ

32

ଭୁବନେଶ୍ୱର: ଆୟ ବହିଃଭୁକ୍ତ ସମ୍ପତ୍ତି ଠୁଳ ମାମଲାରେ ଆର୍‌ଡବ୍ଲୁଏସ୍‌ଏସ୍ ଉଦଳା ସବ୍‌ଡିଭିଜନ୍‌ର ସହକାରୀ କାର୍ଯ୍ୟନିର୍ବାହି ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । କୋର୍ଟ ତାଙ୍କୁ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦେଇଛନ୍ତି । ଗତ ୩ ଦିନ ଧରି ଭିଜିଲାନ୍ସ ପକ୍ଷରୁ ତାଙ୍କର ବିଭିନ୍ନ ଠିକଣା ଉପରେ ସର୍ଚ୍ଚ କରାଯାଇଥିଲା । ସର୍ଚ୍ଚ ସମୟରେ ଜବତ କରାଯାଇଥିବା ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସେଲ୍ ଡିଭିଜନ୍ ଏସ୍‌ପି ଏମ୍‌. ରାଧାକ୍ରିଷ୍ଣନ୍ ସୂଚନା ଦେଇଛନ୍ତି । ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛିି ୨ କେଜି ୩୦୦ ଗ୍ରାମ୍ ସୁନା । ଏହାବ୍ୟତୀତ ଏକ କୋଟି ୨ ଲକ୍ଷ ଟଙ୍କାର ବୀମା ଏବଂ ବ୍ୟାଙ୍କ ଜମାର ସନ୍ଧାନ ମିଳିଛି । ୨୮ ଲକ୍ଷ ନଗଦରାଶି ଜବତ ହୋଇଛି । କ୍ରେଡିଟ୍‌କାର୍ଡ ଜରିଆରେ ୧ କୋଟି ଟ୍ରାଞ୍ଜାକ୍ସନ ହୋଇଥିଲା ବେଳେ ଭୁବନେଶ୍ୱର, କଟକ ଏବଂ କେନ୍ଦ୍ରାପଡାରେ ୧୨ଟି ପ୍ଲଟ ମିଳିଥିଲା । ଏହା ସହିତ ୪ଟି ଚାରିଚକିଆ ଗାଡ଼ି ଏବଂ ୩ଟି ଦୁଇଚକିଆ ଗାଡ଼ି ଜବତ କରାଯାଇଛି । ସେ ତାଙ୍କ ଚାକିରି କାଳ ମଧ୍ୟରେ ପାଇଥିବା ଦରମାଠାରୁ ବହୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ । ଏତେ ଟଙ୍କା କେଉଁଠୁ ଆଣିଲେ ଓ କିଏ ତାଙ୍କୁ ଏତେ ଟଙ୍କା ଦେଲା, ଚାକିରିରେ ଥିଲା ବେଳେ କିଭଳି ଅନୈତିକ ଉପାୟରେ ରୋଜଗାର କରିଥିଲେ ତାହାର ତଦନ୍ତ କରାଯିବ । ସୂଚନାଯୋଗ୍ୟ ଯେ ଗତ ୧୪ ତାରିଖରେ ଭିଜିଜିଲାନ୍ସ ଏକକାଳିନ ରବି ନାରାୟଣଙ୍କ ୮ଟି ଠିକଣା ଉପରେ ଚଢ଼ଉ କରିଥିଲା । ଭୁବନେଶ୍ୱର, କଟକ, ମୟୂରଭଞ୍ଜ ଏବଂ କେନ୍ଦ୍ରପଡା ଜିଲ୍ଲାରେ ଥିବା ତାଙ୍କ ସମ୍ପତ୍ତି ଉପରେ ରେଡ କରାଯାଇଛି । ଯେଉଁଥିରେ ତାଙ୍କର ନିଜ ଘର ସମେତ, ସରକାରୀ ବାସଭବନ, ସମ୍ପର୍କୀୟଙ୍କ ଘର ଏବଂ ସରକାରୀ କର୍ଯ୍ୟାଳୟ ସାମିଲ ରହିଥିଲା ।

Comments are closed, but trackbacks and pingbacks are open.