ନୂଆଦିଲ୍ଲୀ: ଛତିଶଗଡର ସୁକମା-ଦନ୍ତେୱାଡା ସୀମାରେ ଥିବା ଉପମପଲ୍ଲୀ କେରଳାପାଲ ଅଞ୍ଚଳର ଜଙ୍ଗଲରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ସୁକମା ଜଙ୍ଗଲରୁ ନକ୍ସଲମାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଏନକାଉଣ୍ଟରରେ ଦୁଇଜଣ ଯବାନ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଛତିଶଗଡ ବସ୍ତର ଜୋନ୍ ଆଇଜି ପି ସୁନ୍ଦରରାଜଙ୍କ ଅନୁଯାୟୀ, ସୁକମା-ଦନ୍ତେୱାଡା ସୀମାରେ ଥିବା ଉପମ୍ପଲ୍ଲୀ କେରଳାପାଲ ଜଙ୍ଗଲରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୧୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏବେ ବି ଗୁଳି ବିନିମୟ ଜାରି ରହିଛି। ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଦ୍ୱାରା ମିଳିତ ନକ୍ସଲ ବିରୋଧୀ ଅପରେସନ ସମୟରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ, ସୁକମା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ କେରଳାପାଲ ଅଞ୍ଚଳରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ଗୁପ୍ତ ସୂଚନା ମିଳିବା ପରେ ଏହି ଅପରେସନ ଆରମ୍ଭ କରାଯାଇଥିଲା। ମିଳିତ ଦଳ ମାର୍ଚ୍ଚ ୨୮ ତାରିଖରେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲା। ଆଜି ସକାଳ ଠାରୁ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଚାଲିଛି। ସୁରକ୍ଷା ବାହିନୀ ବର୍ତ୍ତମାନ ଏନକାଉଣ୍ଟର ସ୍ଥାନ ଏବଂ ଏହାର ଆଖପାଖ ଜଙ୍ଗଲ ଅଞ୍ଚଳରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି।
Comments are closed, but trackbacks and pingbacks are open.