ପ୍ରଚଣ୍ଡ ତାତି : ଆବଶ୍ୟକ ନ ଥିଲେ ଘରୁ ବାହାରକୁ ଯାନ୍ତୁ ନାହିଁ

32

ଖରାର ପ୍ରଚଣ୍ଡ ପ୍ରକୋପ ବଢୁଥିବାରୁ ଅଂଶୁଘାତ ପ୍ରତି ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ ।ଆବଶ୍ୟକ ନ ଥିଲେ ସକାଳ ୧୦ଟାରୁ ପ୍ରାୟ ତିନିଟା ଯାଏ ଆପଣ ଖରାକୁ ବାହାରନ୍ତୁ ନାହିଁ । ଅନ୍ତତଃ ଆଉ ୫ ଦିନ ଏହି ସତର୍କତା ରକ୍ଷା କରିବା ଦରକାର । ଆଜି ବୌଦ୍ଧରେ ସର୍ବାଧିକ ୪୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ୨୨ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ଦିନ ତାପମାତ୍ରା ରହିଛି । ୧୪ଟି ସ୍ଥାନରେ ୪୨ ଡିଗ୍ରୀ ଉପରେ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ୯ଟି ସ୍ଥାନରେ ୪୩ ଡିଗ୍ରୀ ଉପରେ ଦିନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଆଜି ୩୯.୬ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି ।ଆଗକୁ ମଧ୍ୟ ବଢ଼ିବ ବୋଲି ପୂର୍ବାନୁମାନ ରହିଛି । ଏହା ପୂର୍ବରୁ ଲୋକଙ୍କୁ ସଚେତନ କରାଯାଉଛି । ଖରା ବେଳେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଖରା ସମୟରେ କାମ ବନ୍ଦ ରଖିବାକୁ କୁହାଯାଉଛି । ଏଥିସହିତ ବାହାରକୁ ବାହାରିଲେ ପାଖରେ ପିଇବା ପାଣି, ଛତା ଓ ଓଦା କପଡା ମୁଣ୍ଡରେ ରଖିବା ଉଚିତ। ମାତ୍ର ପରିସ୍ଥିତିକୁ ଆଖି ଆଗରେ ରଖି ସମସ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଡାକ୍ତରଖାନାରେ ସମସ୍ତ ପ୍ରକାରର ଔଷଧ ମହଜୁତ ରଖିବା ସହ ସ୍ୱତନ୍ତ୍ର ଶଯ୍ୟା ରଖାଯାଇଛି । ହସ୍ପିଟାଲରେ ଏୟାର କୁଲର, ଫ୍ୟାନ ପ୍ରସ୍ତୁତ କରି ରଖାଯାଇଛି । ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ଅଂଶୁଘାତରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି । ଆସନ୍ତା ୫ ଦିନ ଯାଏ ନିସ୍ତାର ନାହିଁ । ଏନେଇ ସୂଚନା ଦେଇଛି ଆଇଏମଡି । ସେଥିପାଇଁ ୭ ଜିଲ୍ଲାକୁ ହିଟ୍ ଓ୍ବେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କିନ୍ତୁ ଗତ ୨ ଦିନ ତୁଳନାରେ ଆଜି ତାତି ସାମାନ୍ୟ କମିଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏହା ପଛକୁ ରହିଛି ସମ୍ବଲପୁର । ସମ୍ବଲପୁରର ୩୯ ଡ଼ିଗ୍ରୀ, ବାଲେଶ୍ୱର ୩୮ ଡ଼ିଗ୍ରୀ ଏବଂ ଭୁବନେଶ୍ୱରରେ ପାରଦ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲା । ୪୪ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଖାଲି ସେତିକି ନୁହେଁ, ୪୨ ଡିଗ୍ରୀ ଉପରକୁ ୧୬ ସହର ତାପମାତ୍ରା ଡେଇଁଥିଲା ।

Comments are closed, but trackbacks and pingbacks are open.