ଡେମୋଗ୍ରାଫିକ ଡିଭାଇଡେଣ୍ଡର ଲାଭ ଉଠାଇବା ପାଇଁ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ହେବ: ଧର୍ମେନ୍ଦ୍ର ପ୍ରଧାନ

18

ନୂଆଦିଲ୍ଲୀ/ଭୁବନେଶ୍ୱର: ଡେମୋଗ୍ରାଫିକ ଡିଭାଇଡେଣ୍ଡର ଲାଭ ଉଠାଇବା ପାଇଁ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ହେବ । ସବୁପ୍ରକାର ପରମ୍ପରାଗତ, ଅଣପରମ୍ପରାଗତ ଏବଂ ଅଭିଜ୍ଞତା ଆଧାରିତ ଜ୍ଞାନ ଭଣ୍ଡାରର ଚିହ୍ନଟ, ମୂଲ୍ୟାଙ୍କନ ଏବଂ ଔପଚାରିକ ଭାବେ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ । ସୋମବାର ଆଇଆଇଟି ଦିଲ୍ଲୀ ଠାରେ ନ୍ୟାସନାଲ କ୍ରେଡିଟ୍ ଫ୍ରେମୱାର୍କ(ଏନସିଆରଏଫ)ର ଖସଡା ଉପରେ ‘ଷ୍ଟେକହୋଲଡର ପରାମର୍ଶ’ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଉଦବୋଧନ ଦେଇଛନ୍ତି ଯେ ଜ୍ଞାନ, କୌଶଳ ଓ ରୋଜଗାର ମଧ୍ୟରେ ଥିବା ପ୍ରତିବଦ୍ଧକକୁ ଦୂର କରିବା ପାଇଁ ଜାତୀୟ ଶିକ୍ଷା ନୀତିର କ୍ରେଡିଟ୍ ଫ୍ରେମୱାର୍କ ଏକ ବିଶ୍ୱସ୍ତରୀୟ କଳ୍ପନା । ଏନସିଆରଏଫ ଆମକୁ ଜ୍ଞାନ ଏବଂ କୌଶଳର ବିଭିନ୍ନ ଦିଗକୁ ଚିହ୍ନଟ କରିବା ପାଇଁ ସୁଯୋଗ ପ୍ରଦାନ କରିବ । ଜୀବନବ୍ୟାପୀ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ନୂଆ ସମ୍ଭାବନା ତିଆରି କରିବ । ଏନସିଆରଏଫ ମୁଣ୍ଡ ପିଛା ଉତ୍ପାଦନ ବୃଦ୍ଧି କରିବ, ସମସ୍ତଙ୍କୁ ସଶକ୍ତ କରିବ ଏବଂ ଏହି ଶତାବ୍ଦୀର ନେତୃତ୍ୱ ନେବା ଦିଗରେ ଭାରତ ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ପକ୍ଷରୁ ଆୟୋଜିତ ‘ଜାତୀୟ ପରିଷଦ ବୈଠକ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନୂଆ ଭାରତ’ର କଳ୍ପନାକୁ ଆଗେଇ ନେବା ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ‘ନୂଆ ଭାରତ ନିର୍ମାଣ’ ଶୀର୍ଷକ ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିଳ୍ପସମୂହ, ଶିକ୍ଷାବିତ ଏବଂ ନୀତି ନିର୍ଦ୍ଧାରକମାନେ ଏକବିଂଶ ଶତାବ୍ଦୀର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ସହ ଆର୍ôଥକ ଅଭିବୃଦ୍ଧି ଓ ସାମାଜିକ କଲ୍ୟାଣ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ହେବ । ଶିଳ୍ପ ସମୂହର ସହଯୋଗରେ ହିଁ ଭାରତର ଯୁବବର୍ଗଙ୍କୁ ଶିକ୍ଷା ଏବଂ କୌଶଳ ମାନବ ସମ୍ବଳ ଭିତରେ ଅଣାଯାଇପାରିବ । ଆଇଆଇଟି, ଏନଆଇଟି, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ପ୍ରତିଭା ଭରପୁର ଅଛି । କେବଳ ଆଇଆଇଟି ନୁହେଁ, ଅନ୍ୟ ଶିକ୍ଷାନୁଷ୍ଠାନ ସହ ଶିଳ୍ପ ସମୂହ ସହଯୋଗୀ ହୋଇ ଗବେଷଣା ଏବଂ ଅନ୍ୱେଷଣକୁ ତ୍ୱରାନିତ କରିବା ଦରକାର । ଏକବିଂଶ ଶତାବ୍ଦୀର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ସହ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ଭାବରେ ପ୍ରସ୍ତୁତ କରିବା ପାଇଁ ଦକ୍ଷତା ବିକାଶକୁ ସଂସ୍ଥାଗତ କରିବାକୁ ହେବ । ଶ୍ରୀ ପ୍ରଧାନ ଏହି ଅବସରରେ ସିଆଇଆଇର ସଦସ୍ୟ ତଥା ଶିଳ୍ପସମୂହର ନେତୃବୃନ୍ଦଙ୍କୁ ନ୍ୟାସନାଲ କ୍ରେଡିଟ୍ ଫ୍ରେମୱାର୍କର ଖସଡାକୁ ସମୀକ୍ଷା କରିବା ସହ ନିଜର ମତାମତ ଦେବା ପାଇଁ ପରାମର୍ଶ ଦେଇଥିଲେ ।

Comments are closed, but trackbacks and pingbacks are open.