ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ

19

ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯାଉଛି । ମହିଳାଙ୍କ ବିକାଶ ପାଇ ଯୋଜନା କରଯାଇଛି । ଦିନେ ଘରର ଚାରିକାନ୍ଥ ଭିତରେ ଥିବା ମହିଳା ଆଜି ପୁରୁଷଙ୍କଠାରୁ ଦୁଇ ପାଦ ଆଗରେ ଚାଲୁଛି । ସ୍ବାବାଲମ୍ବୀ ହୋଇଛନ୍ତି, ଦୁଇ ପଇସା ରୋଜରାଗ କରି ପରିବାର ଚଳାଉଛନ୍ତି । ଏ ଦିଗରେ ମହିଳାଙ୍କୁ ବଞ୍ଚିବାର ବାଟ ଦେଖାଇଛି ମିଶନ ଶକ୍ତି କାଫେ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ବସ ଟର୍ମିନାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଛି । ଯାହାକୁ ବସୁନ୍ଧରା ମହାସଂଘର ୧୮ ଜଣ ମହିଳା ଚଳାଉଛନ୍ତି । ଏହି ମହିଳାମାନେ କ୍ୟାଫେରେ ଆମିଷ ଓ ନିରାମିଷ ଭୋଜନ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଫଳରେ ପ୍ରତି ମାସରେ ୪ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରି ପାରୁଛନ୍ତି ।

ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ମଧ୍ୟ ମିଶନ ଶକ୍ତି ଆଉଟଲେଟ ଖୋଲାଯାଇଛି । ଏହି କାଫେରେ ଅର୍ଡର ଦେବା ମାତ୍ରେ ମିଳୁଛି ଭଳିକି ଭଳି ସୁସ୍ବାଦୁ ଖାଦ୍ୟ । ମିଲେଟରେ ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟ ସାଙ୍ଗକୁ ଗରମା ଗରମ ଚା ଓ କଫି ଖାଦ୍ୟ ପ୍ରେମୀମାନଙ୍କ ମନ ଜିଣୁଛି । ଏଠାରେ ମାଣ୍ଡିଆ, ଗୂର୍ଜି ଭଳି ଅନେକ ମିଲେଟରେ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଥିବା ବେଳେ ମାଣ୍ଡିଆ ଯାଉ, ଆରିସା ପିଠା, ମଣ୍ଡା ପିଠା, ମାଣ୍ଡିଆ ଚା, ମାଣ୍ଡିଆ ପକୁଡ଼ି, ମାଣ୍ଡିଆ ଆଲୁଚପ ଠାରୁ ଆରମ୍ଭ କରି ଅନେକ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ସହର ଅନ୍ୟତମ କଲ୍ୟାଣୀ ମହାସଂଘର ୧୦ଜନ ମହିଳା । ସେହିପରି କାଫେ ପରିସରର ସୁନ୍ଦର ସଜ୍ଜାସଜା ପରିବେଶରେ ସୁଆଦିଆ ଖାଦ୍ୟର ଖାଇବାର ମଜ୍ଜା କୌଣସି ବଡ଼ ରେଷ୍ଟୁରାଣ୍ଟ କି ଷ୍ଟାର ହୋଟେଲଠାରୁ କମ ନୁହେଁ । ତା ସାଙ୍ଗକୁ ଯୁବ ବର୍ଗଙ୍କ ପାଇଁ ରହିଛି ସେଲ୍‌ଫି ନେବାର ବ୍ୟବସ୍ଥା । ଏହି କାଫେରେ ଲୋକମାନେ ନିଜର ସାଙ୍ଗସାଥୀ ଏବଂ ପରିବାରକୁ ନେଇ ବୁଲିବାକୁ ଯାଉଛନ୍ତି । ସନ୍ଧ୍ୟା ସମୟର ଟାଇମ୍‌ ପାସ୍‌ ପାଇଁ ଯୁବପିଢିଙ୍କ ଫେବରେଟ ସ୍ପଟ୍ ପାଲଟିଛି ଏହି କାଫେ ।

ମିଶନ ଶକ୍ତି କାଫେର ମନ ଲୋଭା ପରିବେଶ ସହିତ ପରିଷ୍କାର ଓ ପରିଚ୍ଛନ୍ନତା ଯୋଗୁଁ ଧିରେ ଧିରେ ଏଥି ପ୍ରତି ବଢୁଛି ଲୋକଙ୍କ ଆଗ୍ରହ । ଏପରି ସୁସ୍ବାଦୁ ଖାଦ୍ୟର ସୁଲଭ ଦର ଉପଲବ୍ଧ ହେବା ଯୋଗୁଁ ସହରବାସୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏଥିପ୍ରତି ଆକର୍ଷିତ ହେଉଛନ୍ତି । ଏହାକୁ ପରିଚାଳନା କରୁଥିବା ମହିଳା କର୍ମକର୍ତ୍ତା ମାନେ ଏଠାରେ ହେଲଦି ଫୁଡ୍ ପ୍ରଦାନ କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସରକାରଙ୍କ ଏହି ମିଶନ ଶକ୍ତି ଯୋଜନା ମାଧ୍ୟମରେ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା ।

ଯେଉଁ କାମ ଦିନେ ପୁରୁଷ କରୁଥିଲେ, ଏବେ ସେହି କାମ କରୁଛନ୍ତି ମହିଳା । ତେବେ କେବଳ ଯେ ଭବାନୀପାଟଣା ସହରର କଥା ତାହା ନୁହେଁ ଜିଲ୍ଲାର ୧୩ ଗୋଟି ବ୍ଲକରେ ମିଶନ ଶକ୍ତି ପକ୍ଷରୁ କ୍ୟାଫେ ନିର୍ମାଣ କରାଯାଇ ମହିଳା ଗୋଷ୍ଠୀମାନଙ୍କୁ ହସ୍ତାନ୍ତର କରାଯାଇଛି। ଯେଉଁଥିରେ ମହିଳାମାନେ ମିଲେଟ୍ ଓ ଘରୋଇ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ପାରିଛନ୍ତି । ତେବେ ସହରରେ ଆଉ ଦୁଇଟି ମିଶନ ଶକ୍ତି କାଫେ ନିର୍ମାଣ ସରିଥିବା ବେଳେ ତାହାକୁ ଖୁବ୍ ଶୀଘ୍ର ମହିଳାମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ମିଶନ ଶକ୍ତି ସଂଯୋଜିକା ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.