ଭୁବନେଶ୍ଵର: ୨୦୨୫ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ୧୦୮ ଆମ୍ବୁଲାନ୍ସ ଟିମ ଭୁବନେଶ୍ୱରର ‘ବାୟୁସେନା ଚୟନ କେନ୍ଦ୍ର’ରେ ଏକ ଜରୁରୀକାଳୀନ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗ୍ରୁପ୍ କ୍ୟାପଟେନ୍ ସଞ୍ଜୟ ପଟ୍ଟନାୟକ ଓ ୧୦୮ ଆମ୍ବୁଲାନ୍ସ ସେବାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଉପସ୍ଥିତ ଥିଲେ। ୨୦୧୩ ମାର୍ଚ୍ଚ ୫ରୁ ରାଜ୍ୟରେ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ, ଜରୁରୀକାଳୀନ ଚିକିତ୍ସା ସେବା କ୍ଷେତ୍ରରେ ଓଡ଼ିଶାବାସୀଙ୍କ ପ୍ରତି ଦେଇଆସୁଥିବା ଅବିରତ ସେବା ଓ ଏହାର କାର୍ଯ୍ୟକାରିତା ବିଷୟରେ ଅଲୋଚନା କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ର ତାଲିମ ପ୍ରାପ୍ତ ପ୍ରଶିକ୍ଷକ ପ୍ରମିତ ପ୍ରିୟଦର୍ଶନ ପଣ୍ଡା ପରିଚାଳନା କରିଥିଲେ। ସେ ବାୟୁସେନା କର୍ମଚାରୀମାନଙ୍କୁ ହୃଦ୍ଘାତ, ମୂର୍ଚ୍ଛା ଯିବା, ନିଶ୍ୱାସ ନେବାରେ ଅସୁବିଧା, ରକ୍ତସ୍ରାବ ନିୟନ୍ତ୍ରଣ, ସ୍ପ୍ଲିଣ୍ଟିଂ, ବ୍ୟାଣ୍ଡେଜ୍, କୀଟପତଙ୍ଗ କାମୁଡ଼ା, ପଶୁ ଆକ୍ରମଣ ଓ ସାପ କାମୁଡ଼ା ପରି ଜରୁରୀକାଳୀନ ପରିସ୍ଥିତିରେ କିପରି ଜରୁରୀକାଳିନ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ, ତାହା ସମ୍ବନ୍ଧିତ ପ୍ରାୟୋଗିକ ପ୍ରଶିକ୍ଷଣ ସହିତ କାର୍ଯକ୍ରମକୁ ଆଗକୁ ନେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ହୃଦ୍ଘାତ ମାମଲା ପାଇଁ ଜୀବନରକ୍ଷାକାରୀ ପ୍ରଣାଳୀ ବା କାର୍ଡିଓପଲମୋନାରୀ ରିସାସିଟେସନ୍ (ସିପିଆର) ପ୍ରଶିକ୍ଷଣ। ଗ୍ରୁପ୍ କ୍ୟାପଟେନ୍ ସଞ୍ଜୟ ପଟ୍ଟନାୟକ ଏହି ପ୍ରଶିକ୍ଷଣ ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ଭବିଷ୍ୟତରେ ଅଧିକ କର୍ମଚାରୀଙ୍କୁ ଏହିପରି ତାଲିମ ଦେବା ପାଇଁ ନିଜ ପରିସରରେ ଏହିପରି ଏକାଧିକ କାର୍ଯ୍ୟକ୍ରମ ନିୟମିତ ଭାବରେ ଆୟୋଜନ କରିବାକୁ ଅନୁରୋଧ କରିଥିଲେ। ୧୦୮ ଆମ୍ବୁଲାନ୍ସ ସେବାର ରାଜ୍ୟ ମୁଖ୍ୟ ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ଓଡ଼ିଶାରେ ଏମ୍ରି ଗ୍ରୀନ ହେଲଥ ସର୍ଭିସେସ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ସେବା, ଜରୁରୀକାଳୀନ ସମୟରେ ନାଗରିକଙ୍କ ସେବା କ୍ଷମତା ବୃଦ୍ଧି କରିବା ଓ ସଚେତନତା ପ୍ରସାର ପାଇଁ ସଦା ପ୍ରତିବଦ୍ଧ ରହିଛି ଏବଂ ଏହି ଭଳି କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଆୟୋଜନ କରାଯାଇ ଜନସାଧାରଣମାନଙ୍କୁ ଜରୁରୀକାଳୀନ ସମୟରେ କିପରି ପ୍ରାଥମିକ ଚିକିତ୍ସାର ପ୍ରଶିକ୍ଷଣ ଦିଆଯିବ।
Comments are closed, but trackbacks and pingbacks are open.