ମଝି ସମୁଦ୍ରରେ ଫସିଥିବା ୧୧ ମତ୍ସ୍ୟଜୀବୀ ହେଲେ ଏୟାରଲିଫ୍ଟ

38

ସମୁଦ୍ର ମଝିରେ ଫସି ରହିଥିବା ୧୧ ମତ୍ସ୍ୟଜୀବୀ ଏୟାରଲିଫ୍ଟ ଦ୍ୱାରା ଉଦ୍ଧାର ହେଲେ । ବିଶାଖାପାଟଣାରୁ ଓଡିଶା ଉପକୂଳକୁ ଫେରୁଥିବା ମତ୍ସ୍ୟଜୀବୀଙ୍କୁ ହେଲିକପ୍ଟର ଯୋଗେ କୋଷ୍ଟଗାର୍ଡ ଉଦ୍ଧାର କରିଛି। ଏନେଇ ଜିଲ୍ଲା ପ୍ରଶାସନକୁ ସେମାନେ ସୂଚନା ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଏସଆରସିଙ୍କୁ ଏନେଇ ସୂଚନା ଦେବା ପରେ ପାରାଦୀପରେ ଥିବା କୋଷ୍ଟଗାର୍ଡ ସମସ୍ତଙ୍କୁ ଉଦ୍ଧାର ପାଇଁ ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ କରିଥିଲା । ଜଣଙ୍କ ପରେ ଜଣେ ସମସ୍ତଙ୍କୁ କୋଷ୍ଟଗାର୍ଡ ଉଦ୍ଧାର କରିଥିଲେ ।
ସେମାନଙ୍କୁ ଏୟାରଲିଫ୍ଟ କରାଯାଇଥିବା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏସଆରସି ଶ୍ରୀ ଜେନା କହିଛନ୍ତି ଯେ ବିଶାଖାପାଟଣାରୁ ଆସୁଥିବା ଏକ ବୋଟ ସମୁଦ୍ରରେ ଫସି ରହିଥିବା ସୂଚନା ମିଳିଥିଲା। ୨୦ ମିନିଟ ମଧ୍ୟରେ ଏୟାରଲିଫ୍ଟ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ଆଜି ଅଶାନ୍ତ ସମୁଦ୍ର ଭିତରେ ମାଛଧରା ଡଙ୍ଗା ସହ ୧୧ଜଣ ମତ୍ସ୍ୟଜୀବୀ ଫସି ରହିଥିଲେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଗଞ୍ଜାମ ଆସୁଥିବାବେଳେ ସୁନାପୁର ନିକଟରେ ବୋଟରେ ଯାନ୍ତ୍ରିକ ସମସ୍ୟା ଉପୁଜିଥିଲା। ସେମାନଙ୍କ ଡଙ୍ଗାରେ ଯାନ୍ତ୍ରିକ ତୃଟି ରହିଥିବାରୁ ଅଶାନ୍ତ ସମୁଦ୍ର ଭିତରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ମତ୍ସ୍ୟଜୀବୀ ସଂଘ ପକ୍ଷରୁ ତତ୍କାଳ ଉପଜିଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲା। ଉପଜିଲାପାଳ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିଥିଲେ। ଗଞ୍ଜାମ ଜିଲାପାଳ ଏସଆରସିଙ୍କୁ ଏନେଇ ସୂଚନା ଦେବା ପରେ ପାରାଦୀପରେ ଥିବା କୋଷ୍ଟଗାର୍ଡ ସମସ୍ତଙ୍କୁ ଉଦ୍ଧାର ପାଇଁ ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ କରିଥିଲା। ଜଣଙ୍କ ପରେ ଜଣେ ସମସ୍ତଙ୍କୁ କୋଷ୍ଟଗାର୍ଡ ଉଦ୍ଧାର କରିଥିଲେ। ଜିଲା ପ୍ରଶାସନ, ପୁଲିସ ଓ ପାରାଦୀପରେ ଥିବା କୋଷ୍ଟଗାର୍ଡର ମିଳିତ ସହଯୋଗରେ ପକ୍ଷରୁ ହେଲିକପ୍ଟର ମାଧ୍ୟମରେ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଥିଲା। ବାତ୍ୟା ଅସାନିର ପ୍ରଭାବ ଯୋଗୁ ସମୁ୍ଦରେ ପ୍ରବଳ ଢେଉଥିବା ବେଳେ ସେମାନେ ଡଙ୍ଗାରେ ଯାନ୍ତ୍ରିକ ତୃଟି ଯୋଗୁ ଏହାକୁ କାଟି ସେମାନେ ଫେରିପାରୁନଥିଲେ। ଏହାପରେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ପରେ ବର୍ତ୍ତମାନ ସମସ୍ତେ ଉଦ୍ଧାର ହୋଇଛନ୍ତି। ୧୧ଜଣ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚି ଯାଇଥିବାରୁ ସେମାନଙ୍କ ପରିବାର ଓ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଗଞ୍ଜାମ ଜିଲା ପ୍ରଶାସନ, ପୁଲିସ ଅଧିକାରୀ ଏବଂ କୋଷ୍ଟଗାର୍ଡଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Comments are closed, but trackbacks and pingbacks are open.