ବିଦ୍ୟୁତ୍ ତାର ନେଲା ୩ ହାତୀଙ୍କ ଜୀବନ

180

ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁନେଇ ଉଦବେଗ ଲାଗି ରହିଥିବା ବେଳେ ବିଦ୍ୟୁତ୍ ଆଘାତରେ ପୁଣି ତିନି ହାତୀଙ୍କ ଜୀବନ ଯାଇଛି। ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ବୁରୋମାଲ ଜଙ୍ଗଲ ଭିତରେ ୩ ହାତୀଙ୍କ ମୃତଦେହ ଠାବ ହୋଇଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ହାତୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ମୃତ ହାତୀମାନଙ୍କ ମଧ୍ୟରେ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ଅଛି। ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲରେ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଥିଲେ। କିଛି ଦିନ ହେବ ନାକଟିଦେଉଳ ରେଞ୍ଜରେ ହାତୀ ପଲ ଚଳପ୍ରଚଳ କରୁଥିଲେ। ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ଯାଇ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, ବାରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡ଼ି ୩ ହାତୀର ଜୀବନ ଯାଇଛି ବୋଲି ଜଣାପଡ଼ିଛି। ଆମ ବିଭାଗର ପାଟ୍ରୋଲିଂ କରୁଥିବା କର୍ମଚାରୀଙ୍କ ତ୍ରୁଟି ଯୋଗୁ ଏହି ଘଟଣା ଘଟିଛି। ଏକା ସଙ୍ଗେ ୩ଟି ହାତୀ ମୃତ୍ୟୁ ବରଣ କରିବା ଦୁର୍ଭାଗ୍ୟ ଜନକ। ବିଦ୍ୟୁତ ବିଭାଗ ସହ ବନ ବିଭାଗ ପାଟ୍ରୋଲିଂ ଠିକ୍ ଭାବେ କରିନି। ପାଟ୍ରୋଲିଂ କରି ବିଛାଯାଇଥିବା ବିଦ୍ୟୁତ୍ ତାରକୁ ହଟାଇବାର ଥିଲା। ସିସିଏଫ୍ ଓ ଆରସିସିଏଫ୍‌ଙ୍କୁ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟପ୍ରାଣୀ ମୁଖ୍ୟାଳୟର ଜଣେ ସିଏଫଏଫଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରସ କରାଯିବ। ସେପଟେ ୩ ହାତୀଙ୍କ ମୃତ୍ୟୁ ହେବା ପରେ ଭୁବନେଶ୍ୱରରୁ ବନ ବିଭାଗର ଜଏଣ୍ଟ ଟାସ୍କ ଫୋର୍ସର ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡାକ୍ତରୀ ଟିମ ଆସନ୍ତାକାଲି ହାତୀଙ୍କ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପୋତାଯିବ। ତେବେ ଏହି ଅଞ୍ଚଳରେ ହାତୀଙ୍କ ଗତିବିଧି ସବୁବେଳେ ଲାଗି ରହିଥାଏ । ଏହି ଅଞ୍ଚଳରେ ଅଧିକାଂଶ ଲୋକଙ୍କ ଚାଷ ଜମି ରହିଛି। ସେଥିପାଇଁ ହାତୀ ପଲ ଫସଲ ହାନୀ କରିବା ପାଇଁ ଆସୁଥିବା ବେଳେ ବନ ବିଭାଗର କର୍ମଚାରୀଙ୍କ ଖୋଜ ଖବର ନଥାଏ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Comments are closed, but trackbacks and pingbacks are open.