ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ ଅନୁଷ୍ଠିତ

0 28

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପରିପେକ୍ଷୀରେ ଆଜି ବିଭିନ୍ନ ଜିଲ୍ଲାଲାଗି ନିଯୁକ୍ତ ନିର୍ବାଚନ
ପର୍ଯ୍ୟବେକ୍ଷକ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କ ଏକ ବୈଠକ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ
ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସଂପ୍ରତି
କୋଭିଡ୍‌ ପରିସ୍ଥିତିରେ ଏକ ସୁରକ୍ଷିତ, ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦେଇଥିଲେ ।
ନିର୍ବାଚନ ସମୟରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ କମିଶନରଙ୍କ ଆଖି ଓ କାନ ଭାବେ ସଂପୂର୍ଣ୍ଣ ରାଜ୍ୟରେ ତୀକ୍ଷ୍ମ
ନଜର ରଖିବେ ଏବଂ ନିୟମିତ ଅନ୍ତରରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରିବେ ।
ଜିଲ୍ଲାରେ ନିର୍ବାଚନ ଆଚରଣବିଧିର ସଠିକ ପାଳନ ହେଉଛି କି ନାହିଁ ସେ ଉପରେ ପର୍ଯ୍ୟବେକ୍ଷକମାନେ ଦୃଷ୍ଟି
ରଖିବେ । ଚଳିତ ନିର୍ବାଚନରେ ଯେକୌଣସି ପ୍ରକାର ରାଲିକୁ ନିଷେଧ କରାଯାଇଥିବାବେଳେ ଏଥି ପ୍ରତି
ପର୍ଯ୍ୟବେକ୍ଷକମାନେ ସଜାଗ ରହିବେ । ଚଳିତ ନିର୍ବାଚନରେ ଭୋଟଗଣତି ବୁଥ ବଦଳରେ ବ୍ଲକ୍‌ ମୁଖ୍ୟାଳୟରେ ହେବ ।
ନିର୍ବାଚନ ପର୍ଯ୍ୟବେକ୍ଷକମାନେ ନିର୍ବାଚନ କମିଶନର ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରି
କାର୍ଯ୍ୟ କରିବାକୁ କମିଶନର ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ପାର୍ଥୀ ଏବଂ ରାଜନୈତିକ ଦଳମାନଙ୍କ ଖର୍ଚ୍ଚ, ନିର୍ବାଚନରେ ବ୍ୟବହୃତ
ଯାନ ଆଦି ତଦାରଖ କରିବା ସହ ନିୟମିତ ଖର୍ଚ୍ଚ ତାଲିକାକୁ ଯାଞ୍ଚ କରିବା ପାଇଁ କମିଶନର ପରାମର୍ଶ ଦେଇଥିଲେ ।
ଯଦି କୌଣସି ପ୍ରାର୍ଥୀ ଧାର୍ଯ୍ୟ ଖର୍ଚ୍ଚଠାରୁ ଅଧିକ ଖର୍ଚ୍ଚ କରିଥିବା ନଜରକୁ ଆସେ ତେବେ ଏ ସଂପର୍କରେ ତୁରନ୍ତ
କମିଶନରଙ୍କ ନଜରକୁ ଆଣିବା ପାଇଁ କମିଶନର ପରାମର୍ଶ ଦେଇଥିଲେ । ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିୟମିତ
ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଯୋଗସୂତ୍ରରେ ରହି କମିଶନରଙ୍କ ପ୍ରତିନିଧି ଭାବେ
କାର୍ଯ୍ୟକରିବେ । ପର୍ଯ୍ୟବେକ୍ଷକମାନେ କମିଶନରଙ୍କ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ କିମ୍ବା ଅନ୍ୟ
କୌଣସି ସରକାରୀ କିମ୍ବା ବିଦେଶ ଗସ୍ତ କରିପାରିବେ ନାହିଁ । ଏଥି ସହିତ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ଏ ସଂପର୍କିତ
ଏକ ବିସ୍ତୃତ ରିପୋର୍ଟ କମିଶନରଙ୍କୁ ପ୍ରଦାନ କରିବା ପାଇଁ କମିଶନର ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.