ପ୍ରତ୍ୟାଶା ରାୟଙ୍କୁ ଏକଲବ୍ୟ ପୁରସ୍କାର

184

ଭୁବନେଶ୍ୱର : ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର’ ପ୍ରଦାନ କରାଯାଇଛି। ଇମ୍ଫା ଗ୍ରୁପ୍ ଦ୍ବାରା ପରିଚାଳିତ ‘ଇଣ୍ଡିଆନ୍‌ ମେଟାଲ୍ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌’ (IMPaCT) ତରଫରୁ ସମ୍ମାନଜନକ ୩୨ତମ ‘ଏକଲବ୍ୟ ପୁରସ୍କାର ୨୦୨୪’ ମିଳିଛି । ପ୍ରତ୍ୟାଶା ଜୁନିଅର ଓ ସିନିଅର ବର୍ଗରେ ଜାତୀୟ ଓ ଆନ୍ତର୍ଜାତୀୟ ପଦକ ପାଇଛନ୍ତି। ତାଙ୍କୁ ପୁରସ୍କାର ବାବଦରେ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।

ଅନ୍ୟପଟେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବ୍ୟାଡମିଣ୍ଟନ ଖେଳାଳି ତନଭୀ ପତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଉଭୟଙ୍କୁ ମାନପତ୍ର ସହ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ ।

ପୂର୍ବରୁ ଏକଲବ୍ୟ ପୁରସ୍କାର ଅର୍ଥରାଶି ୫ଲକ୍ଷ ଟଙ୍କା ଥିଲା। IMFA ର ଇମ୍ପାକ୍ଟ ପକ୍ଷରୁ ୧୯୯୩ ମସିହାରୁ ଏହି ସମ୍ମାନ ଜନକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି।

ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ (ଇମ୍ଫା) ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍‌ ମେଟାଲସ୍‌ ପବ୍ଳିକ୍‌ ଚାରିଟେବଲ୍‌ ଟ୍ରଷ୍ଟ’ (ଇମ୍ପାକ୍ଟ) ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରିଥିଲା। ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠାରୁ ମର୍ଯ୍ୟାଦା ଜନକ କ୍ରୀଡା ସମ୍ମାନ ରୂପେ ପ୍ରଖ୍ୟାତ। କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡାବିତମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Comments are closed, but trackbacks and pingbacks are open.