ସେନ୍‌ସେକ୍ସ ବୃଦ୍ଧିର ପ୍ରଭାବ: ୮ଟି କମ୍ପାନୀର ମୋଟ ଲାଭ ୨ ଲକ୍ଷ କୋଟି

34

ନୂଆଦିଲ୍ଲୀ: ବିଗତ ସପ୍ତାହରେ ଦେଶର ୮ଟି ପ୍ରମୁଖ କମ୍ପାନୀର ସମ୍ପତ୍ତି ପରିମାଣ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି । ଷ୍ଟକ୍ ଏକ୍ସଚେଞ୍ଜ କାରବାରରେ ସେନ୍‌ସେକ୍ସ ସୂଚକାଙ୍କ ପ୍ରାୟ ୨.୩୯ ପ୍ରତିଶତ ବୃଦ୍ଧି ପାଇଥିବାରୁ ଏହି ୮ଟି କମ୍ପାନୀ ଲାଭବାନ ହୋଇଥିବା କୁହାଯାଇଛି । ଏଗୁଡିକ ମଧ୍ୟରୁ ସବୁଠାରୁ ଅଧିକ ଲାଭବାନ ହୋଇଛି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । ରିଲାଏନ୍ସର ସମ୍ପତ୍ତି ପରିମାଣରେ ୬୮,୨୯୬.୪୧ କୋଟି ଟଙ୍କାର ବୃଦ୍ଧି ଘଟି ବର୍ତ୍ତମାନ ୧୬,୭୨,୩୬୫.୬୦ କୋଟିରେ ପହଞ୍ଚିଥିବା ପ୍ରକାଶ । ଏହାପଛକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସମ୍ପତ୍ତି ୩୦,୧୨୦.୫୭ କୋଟି ବୃଦ୍ଧି ପାଇ ୫,୦୦,୪୯୨.୨୩ କୋଟି ଟଙ୍କା ଛୁଇଁଥିବା ଜଣାପଡିଛି । ଅପରପକ୍ଷରେ ଆଇସିଆଇସିଆଇ ବ୍ୟାଙ୍କ୍‌ର ଲାଭାଂଶ ୨୫,୯୪୬.୮୯ କୋଟି ହୋଇଥିବାବେଳେ ସମ୍ପତ୍ତି ପରିମାଣ ୬,୩୨,୮୨୮.୨୩ କୋଟିରେ ପହଞ୍ଚିଛି । ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ୧୮,୬୦୮.୭୬ କୋଟି ଲାଭ କରିଥିବାବେଳେ ଏହାର ସମ୍ପତ୍ତି ପରିମାଣ ୬,୨୩,୮୨୮.୨୩ କୋଟିରେ ପହଞ୍ଚିଛି । ଭାରତୀ ଏୟାରଟେଲ୍ କମ୍ପାନୀର ସମ୍ପତ୍ତିରେ ୧୭,୩୮୫.୧ କୋଟି ଟଙ୍କା ବୃଦ୍ଧି ଘଟିଥିବାବେଳେ ମୋଟ ସମ୍ପତ୍ତି ପରିମାଣ ୪,୪୩,୬୧୨.୦୯ କୋଟି ଛୁଇଁଛି । ସେହିପରି ଆଇଟିସି (ଇମ୍ପିରିଆଲ ଟବାକୋ କମ୍ପାନୀ) ସମ୍ପତ୍ତି ୧୬,୭୩୯.୬୨ କୋଟି ଟଙ୍କା ବୃଦ୍ଧି ପାଇ ୪,୨୮,୪୫୩.୬୨ କୋଟିରେ ପହଞ୍ଚିଥିବାବେଳେ ଟିସିଏସ୍ (ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌) ୧୫,୨୭୬.୫୪ କୋଟି ଲାଭ କରିଛି । ଏହାର ମୋଟ ସମ୍ପତ୍ତି ପରିମାଣ ୧୧,୪୮,୭୨୨.୫୯ କୋଟିକୁ ବୃଦ୍ଧି ପାଇଛି । ସଫ୍ଟୱେୟାର କମ୍ପାନୀ ଇନ୍‌ଫୋସିସ୍ ଏହି ସୁଯୋଗରେ ୧୦,୯୬୧.୩୯ କୋଟି ଲାଭ କରିଥିବାବେଳେ ଏହାର ସମ୍ପତ୍ତି ପରିମାଣ ୬,୩୧,୨୧୬.୨୧ କୋଟିରେ ପହଞ୍ଚିଥିବା ପ୍ରକାଶ । ତେବେ ସେନ୍‌ସେକ୍ସରେ ବୃଦ୍ଧି ଘଟିବା ଯୋଗୁଁ ବଜାଜ ଫାଇନାନ୍ସ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ବଜାଜ ଫାଇନାନ୍ସ ଗତ ସପ୍ତାହରେ ୪୮୭୮.୬୮ କୋଟି ଟଙ୍କା କ୍ଷତି ସହିଥିବାବେଳେ ଏହାର ସମ୍ପତ୍ତି ପରିମାଣ ୪,୩୫,୪୧୬.୭୦ କୋଟିକୁ ହ୍ରାସ ପାଇଛି । ଅପରପକ୍ଷରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୧୫୦୩.୮୯ କୋଟି କ୍ଷତି ସହିଥିବାବେଳେ ଏହାର ସମ୍ପତ୍ତି ପରିମାଣ ୮,୦୧,୧୮୨.୯୧ କୋଟିକୁ ଖସିଆସିଛି । ଭାରତର ଶ୍ରେଷ୍ଠ ୧୦ଟି କମ୍ପାନୀ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସର୍ବାଗ୍ରେ ଥିବାବେଳେ ଏହାପଛକୁ ଟିସିଏସ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଇନ୍‌ଫୋସିସ୍‌, ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଭାରତୀ ଏୟାରଟେଲ, ବଜାଜ ଫାଇନାନ୍ସ ଓ ଆଇଟିସି ରହିଛନ୍ତି ।

Comments are closed, but trackbacks and pingbacks are open.