ଗଣଶିକ୍ଷା ବିଭାଗର ନିଷ୍ପତ୍ତି: ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ମିଳିବ ଜେଇଇ, ନିଟ୍ କୋଚିଂ

24

ଭୁବନେଶ୍ୱର: ଓଡିଆ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ଲାଗି ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଗରୀବ ମେଧାବୀ ଛାତ୍ରଛାତ୍ରୀ ଯେପରି ସେମାନଙ୍କର ସ୍ୱପ୍ନକୁ ସାକର କରିବେ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହେବାକୁ ଯାଉଛି । ଫଳରେ ଏଣିକି ଆଉ ଡାକ୍ତର ଓ ଇଂଜିନିୟର ପାଠ ପଢିବାରେ ଅର୍ଥ ବାଧକ ସାଜିବନି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମାଗଣାରେ ଜେଇଇ ଓ ନିଟ୍ ପାଇଁ କୋଚିଂ ପ୍ରଦାନ କରାଯିବ । ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲରେ ବି ଦିଆଯିବ ଏପରି କୋଚିଂ । ଫଳରେ ଗରିବ ଓ ମଧ୍ୟମ ବର୍ଗର ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରର ପରୀକ୍ଷା ଦେବାକୁ ନିଜକୁ ପ୍ରସ୍ତୁତ କରିପାରିବେ । ମାଟ୍ରିକରେ ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଏହି କୋଚିଂ ଦିଆଯିବ । ରାଜ୍ୟର ଅପଗ୍ରେଡ ହୋଇଥିବା ୧୦୧ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି ବିଭାଗ । ରାଜ୍ୟର ଉପାନ୍ତ ଅଞ୍ଚଳରେ ଥିବା ବହୁ ସ୍କୁଲରେ ପିଲାମାନେ ପାଠ ପଢ଼ା ପରେ ଆଉ ଦୂରରେ ଥିବା କଲେଜ ଯିବାକୁ ମନ ବଳାଉ ନ ଥିଲେ । ମାଟ୍ରିକ ପରେ ସେମାନଙ୍କ ପାଠପଢ଼ାରେ ଡୋରି ବନ୍ଧା ହେଉଥିଲା । ଫଳରେ ପ୍ରତି ବର୍ଷ ଦଶମ ପରେ ଶହ ଶହ ଛାତ୍ରଛାତ୍ରୀ ଅଧାରୁ ପଢ଼ା ଛାଡିବାକୁ ବାଧ୍ୟ ହେଉଛନ୍ତି । ଏଣିକି ଉପାନ୍ତ ଅଞ୍ଚଳର ଏଭଳି ସ୍କୁଲକୁ ଚୟନ କରି ରାଜ୍ୟ ସରକାର ଦ୍ୱାଦଶ ଯାଏଁ ଦ୍ୱାଦଶ ଯାଏଁ ଅପଗ୍ରେଡ କରିଛନ୍ତି । ଏପରି ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ ଜେଇଇ ଓ ନିଟ୍ କୋଚିଂ ବ୍ୟବସ୍ଥା ଲାଗୁ ହେବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତାକୁ ସରକାରୀ ସ୍କୁଲରେ ଦୋହରାଇବାକୁ ରାଜ୍ୟ ସରକାରଙ୍କ ଏହା ମାଷ୍ଟର ପ୍ଲାନ । ଏହାଦ୍ୱାରା ଅଧିକ ପିଲା ଆଗ୍ରହୀ ହୋଇ ସ୍କୁଲ ଆସିବେ ଓ ପାଠପଢ଼ା ପ୍ରତି ମନ ବଳାଇବେ । ଜେଇଇ ଏବଂ ମେଡିକାଲ ପ୍ରଶିକ୍ଷଣ ଲାଗି ଅନେକ କୋଚିଂ ସେଣ୍ଟର ବର୍ଷକୁ ଲକ୍ଷାଧିକ ଟଙ୍କା ଫି’ ବାବାଦରେ ଆଦାୟ କରୁଥିବା ବେଳେ ଗରୀବ ମେଧାବୀ ଏଥିରୁ ବଞ୍ôଚତ ହେଉଥିଲେ । ତେଣ ୁ ବିଦ୍ୟାଳୟସ୍ତରରେ ଯେଉଁ ଛାତ୍ରଛାତ୍ରୀ ଭଲ ମାର୍କ ରଖି ଏକାଦଶରେ ନାମଲେଖାଇବେ ସମ୍ପୃକ୍ତ ପିଲାଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆଯିବ । ତେବେ ଏନେଇ ପରିବାର ଆୟ ଏବଂ ଅନ୍ୟାନ୍ୟ ନୀୟମ କ’ଣ ସବୁ ରହିବ ସେ ସମ୍ପର୍କରେ ଖୁବଶୀଘ୍ର ଧାର୍ଯ୍ୟ କରାଯିବ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.