ଚିଟଫଣ୍ଡ ଠକେଇ ମାମଲାରେ ଏକ କୋଟି ଟଙ୍କା ସମେତ ଦାମୀ କାର୍ ଜବତ କଲା ଇଡି

12

ଭୁବନେଶ୍ୱର: Wellfare Buildings and Estates Pvt. Ltd. ଜରିଆରେ ୨୦୦୦ କୋଟିରୁ ଊର୍ଦ୍ଧ୍ଵ ଚିଟଫଣ୍ଡ ଠକେଇ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ୱର ଜୋନାଲ ଅଫିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। WBEPL କମ୍ପାନୀ ଲିଙ୍କରେ ୬ଟି ଦାମୀ କାର୍ ସମେତ ବହୁ ସମ୍ପତ୍ତି ଏକାଠି କରାଯାଇଛି। ଏନେଇ ଇଡି ପକ୍ଷରୁ ଗତକାଲି (ସୋମବାର) ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି। Prevention of Money Laundering Act (PMLA), ୨୦୦୨ ଧାରା ୧୭ ଅନୁଯାୟୀ ଗତ ୫ ତାରିଖରେ WBEPL ଏବଂ ସଂସ୍ଥାର ନିର୍ଦ୍ଦେଶକ ତଥା ପୂର୍ବତନ ବିଧାୟକ ମଲ୍ଲ ବିଜୟ ପ୍ରସାଦ ଓ ବରାହ ରାମକୃଷ୍ଣ ସତ୍ୟ ଶ୍ରୀନିବାସ ରାଓଙ୍କ ସହ ସଂଶ୍ଲିଷ୍ଟ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢଉ ହୋଇଥିଲା। ବିଶାଖାପାଟଣା ଓ ହାଇଦ୍ରାବାଦରେ ୫ଟି ଆବାସିକ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଏହି ଚଢ଼ଉ ହୋଇଥିଲା। ଏହି ସମୟରେ ନଗଦ ୧ କୋଟି ୧ ଲକ୍ଷ ଟଙ୍କା ସମେତ ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ କାଗଜପତ୍ର, ଡିଜିଟାଲ ଡିଭାଇସ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି। ଏହା ସହିତ କମ୍ପାନୀ ଓ ଏହାର ନିର୍ଦ୍ଦେଶକମାନଙ୍କ ସହ ସମ୍ପୃକ୍ତ ୧୮୨ଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ କରାଯାଇଛି। ଏଥିସହ ଇଡି ୬ଟି ଦାମୀ କାର୍ ମଧ୍ୟ ଆଟାଚ୍ କରାଯାଇଛି। ଇଡି ପକ୍ଷରୁ ଜାରି ପ୍ରେସ ରିଲିଜ ସୂଚନା ଅନୁଯାୟୀ, WBEPL ଓ ଏହାର ନିର୍ଦ୍ଦେଶକମାନଙ୍କ ବିରୋଧରେ ଚିଟ୍‌ଫଣ୍ଡ ଠକେଇ ନେଇ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ଓ ସିବିଆଇ, ଧାନବାଦର ACB ଏବଂ ଓଡ଼ିଶା ପୋଲିସରେ ରୁଜୁ ହୋଇଥିବା ଏକାଧିକ ମାମଲା ଏବଂ ଚାର୍ଜସିଟ୍ ଆଧାରରେ ତଦନ୍ତ ଆରମ୍ଭ କରାଯାଇଥିଲା। ଇଡିର ପ୍ରାଥମିକ ତଦନ୍ତରୁ ଯାଞ୍ଚ ବେଳେ କମ୍ପାନିର ଆର୍ଥିକ କାରବାର ବିବରଣୀରେ ବଡ଼ଧରଣର ହେରଫେର ଓ ଜମି କାରବାରରେ ଅନିୟମିତତା କରାଯାଇଥିବା ପ୍ରମାଣ ମିଳିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ହଜାର ହଜାର ନିବେଶକ ଏହି ଯୋଜନାରେ ଟଙ୍କା ଲଗାଇଥିବା ଇଡି କହିଛି।

Comments are closed, but trackbacks and pingbacks are open.