କୃଷି ଅଧିକାରୀଙ୍କୁ ଅର୍ଥନୈତିକ ବିଶ୍ଳେଷଣ ପ୍ରଶିକ୍ଷଣ

219

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଓ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI)ର ମିଳିତ ଆନୁକୂଲ୍ୟରେ, “ତଥ୍ୟ ବ୍ୟାଖ୍ୟା ଏବଂ ଅର୍ଥନୈତିକ ଫଳାଫଳ ବିଶ୍ଳେଷଣ ଉପରେ କ୍ଷମତା ସୁଦୃଢ଼ୀକରଣ ତାଲିମ” ଶୀର୍ଷକ ପ୍ରଶିକ୍ଷଣର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ବିଭାଗୀୟ ଅଧିକାରୀ ଏବଂ ଅଂଶୀଦାରମାନଙ୍କୁ କୃଷି ନୀତି ପ୍ରଣୟନ ଏବଂ କ୍ଷେତ୍ର-ସ୍ତରୀୟ ଯୋଜନାରେ ସଂଯୋଜିତ କରିବା। ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ଶୁଭ୍ରାଂଶୁ ମିଶ୍ର ଆନୁଷ୍ଠାନିକ ଭାବରେ ଉଦଘାଟନ କରି କହିଥିଲେ ଯେ, ଯୋଜନା ଏବଂ ମୂଲ୍ୟାଙ୍କନ ପାଇଁ ତଥ୍ୟର ଉପଯୋଗ ଓଡ଼ିଶାର କୃଷି କ୍ଷେତ୍ରରେ ଆଖିଦୃଶିଆ ଫଳ ପ୍ରଦାନ କରିବା ଆରମ୍ଭ କରିସାରିଛି, ଏବଂ ଏହି ଗତିକୁ ବଜାୟ ରଖିବା ପାଇଁ ଏପରି ତାଲିମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଶିକ୍ଷଣରେ କୃଷି ଉପନିର୍ଦ୍ଦେଶକ ଡ. ସଂଗ୍ରାମ କେଶରୀ ପଟ୍ଟନାୟକ ଓ କୃଷି ସହକାରୀ ନିର୍ଦ୍ଦେଶକ ଶ୍ରୀ ନଗେନ କୁମାର ମଲ୍ଲିକ ଯୋଗ ଦେଇ କହିଥିଲେ ଯେ, ଚାଷୀମାନଙ୍କୁ ସେବା ପ୍ରଦାନରେ ନବସୃଜନ, ଉତ୍ତରଦାୟିତ୍ୱ ଏବଂ ପ୍ରତିକ୍ରିୟାଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଆଭ୍ୟନ୍ତରୀଣ ତଥ୍ୟ କ୍ଷମତାକୁ ସୁଦୃଢ଼ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ତାଲିମରେ ପ୍ରାୟ ୫୦ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ, ଯେଉଁଥିରେ ପ୍ରଦାନ, ସମଗ୍ର, ଆକ୍ସିସ୍ ଡେଭଲପମେଣ୍ଟ ସର୍ଭିସେସ୍, ସେଣ୍ଟର ଫର ସଷ୍ଟେନେବଲ୍ ମାର୍କେଟ୍ସ (CSM), WASSAN, ନିରୁଥି ଏବଂ ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ୍ (ISB) ଭଳି ପ୍ରମୁଖ ସଂସ୍ଥାର ପ୍ରତିନିଧିମାନେ ସାମିଲ ଥିଲେ। ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣରେ NSSO, କୃଷି ଜନଗଣନା, ଏବଂ PLFS ପରି ଡାଟାସେଟ୍ ଏବଂ Excel, STATA, R, ଏବଂ Python ଭଳି ଉପକରଣ ବ୍ୟବହାର କରି ତଥ୍ୟ ବିଶ୍ଳେଷଣ, ଭିଜୁଆଲାଇଜେସନ୍ ଏବଂ କୃଷି ନୀତି ମୂଲ୍ୟାଙ୍କନ, ଏହାର ବ୍ୟବହାରିକ ପ୍ରୟୋଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI)ର ବିଶେଷଜ୍ଞଙ୍କ, ତାଲିମ କେବଳ ଧାରଣାଗତ ସ୍ପଷ୍ଟତା ନୁହେଁ ବରଂ ଅଧିକାରୀମାନଙ୍କୁ ଯାହା ଶିଖିଛନ୍ତି ନିଜ ନିଜ କ୍ଷେତ୍ରରେ ସେମାନେ ତାହାର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଅଧିବେଶନ ଶେଷରେ ପ୍ରମାଣପତ୍ର ବଣ୍ଟାଯିବା ସହିତ କୃଷିରେ ନେତୃତ୍ୱ ନେଇ ଅର୍ଥନୀତିକୁ ଆଗେଇ ନେବା ପାଇଁ ନିରନ୍ତର ପ୍ରୟାସ କରିବାକୁ ପ୍ରୋତ୍ସାହିତ କରାଯାଇଛି ।

Comments are closed, but trackbacks and pingbacks are open.