‘ଇକୋ ରିଟ୍ରିଟ୍‌‌-୨୦୨୩-୨୪’; ଜାଣନ୍ତୁ କେଉଁ କେଉଁ ସୌନ୍ଦର୍ଯ୍ୟରଆନନ୍ଦ ନେବେ ପର୍ଯ୍ୟଟକ?

3,876

କୋରାପୁଟ: ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‌‌-୨୦୨୩-୨୪’। ଚଳିତ ଥର ୩ ମାସ ଧରି ୭ଟି ଜାଗାରେ ଏହା ଅନୁଷ୍ଠିତ ହେବ। କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟ(ପୁଟଶିଲ୍‌‌) ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ଉଦ୍‌‌ଘାଟିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏକାସାଙ୍ଗରେ ୪ଟି ସ୍ଥାନର ଇକୋ ରିଟ୍ରିଟ୍‌‌କୁ ଉଦ୍‌‌ଘାଟନ କରିବେ। ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ, ନିର୍ଦ୍ଦେଶକ ଓ ଅଧିକାରୀମାନେ ଉପସ୍ଥିତ ରହିବେ। ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାର ଏହି ଉଦ୍ୟମ କରିଛନ୍ତି। ଏଥିରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯଥା, ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍‌‌, ୱାଟର ରାଇଡସ୍‌‌, ଜେଟ୍‌‌ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍‌‌ କରିବାର ସୁଯୋଗ ମିଳିବ। ଏହାସହ ଜଙ୍ଗଲ ସଫାରୀ, ରୋପ୍‌‌ୱେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ। ପ୍ରକୃତି କୋଳରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଦୁଃସାହସିକ ଜଳ କ୍ରୀଡ଼ାକୁ ଉପଭୋଗ କରିବେ ଦେଶ ବିଦେଶର ପର୍ଯ୍ୟଟକ।

ନଭେମ୍ବର ୧ରୁ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ଇକୋ-ରିଟ୍ରିଟ୍‌। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ କୋରାପୁଟ ଜିଲ୍ଲାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏଠାରେ ବଣ ପାହାଡ଼ ଘେରା ପରିବେଶ ତଥା ଜିଲ୍ଲାର ପ୍ରକୃତି କୋଳରେ ଭିନ୍ନ ଅନୁଭୂତି ମିଳିଥାଏ। ଓଡ଼ିଶାର ସୁଇଜରଲ୍ୟାଣ୍ଡ କୁହାଯାଉଥିବା କୋରାପୁଟ ଜିଲ୍ଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଏହି ଇକୋ ରିଟ୍ରିଟ୍‌ ଆରମ୍ଭ କରାଯିବ। ସେମିଳିଗୁଡା ବ୍ଲକ ପୁଟଶିଲ ଗିର୍ଲିମାଳୀ ପାହାଡ଼ ଉପରେ ଏହି ଇକୋ ରିଟ୍ରିଟ୍‌ ଆରମ୍ଭ କରାଯିବ। କୋରାପୁଟ ସହରଠାରୁ ୪୦ କି.ମି ଓ ସୁନାବେଡାଠାରୁ ୨୧ କିମି ଦୂରରେ ଥିବା, ଏହି ପୁଟଶିଲକୁ ଓଡିଶାର ସୁଇଜରଲ୍ୟାଣ୍ଡ ବୋଲି କୁହାଯାଉଛି। ଏହି ପର୍ବତ ଶିଖରକୁ ବହୁ ପର୍ଯ୍ୟଟକ ଆସନ୍ତି। ପର୍ବତ ଶିଖରକୁ ମେଘ ଛୁଇଁବା ଦୃଶ୍ୟ ଅତି ମନଲୋଭା। ଏଥି ସହିତ ଜଳପ୍ରପାତ, କଫି ଗାର୍ଡେନ ଦୃଶ୍ୟ ବି ଅତି ମନଲୋଭା।

କଟକ ଜିଲ୍ଲା ନରସିଂହପୁର କମଳାଡ଼ିହ ଗ୍ରାମ ପଞ୍ଚାୟତ ବାଲିପୁଟର ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡଠାରେ ଆୟୋଜିତ ହେବାକୁ ଥିବା ‘ଇକୋ ରିଟ୍ରିଟ୍‌‌’ରେ ଝରଣା, ମନ୍ଦିର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ଆନନ୍ଦ ନେବେ ପର୍ଯ୍ୟଟକ। ଏଠାରେ ପ୍ରାୟ ୨୫ଟି ଟେଣ୍ଟ୍‌‌ରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମହାନଦୀ କୂଳରେ ଯୋଗ, ବୋଟିଂ, ସାଇକ୍ଲିଂ, ନେଚରଟ୍ରେଲ ଆଦି ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିବ।

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ‘ଇକୋ ରିଟ୍ରିଟ୍‌‌’ରେ ମଧ୍ୟ ପର୍ଯ୍ୟଟକମାନେ ନିଆରା ଅନୁଭୂତି ପାଇେବ। ଏଠାରେ ପର୍ଯ୍ୟଟକମାନେ ଆଡ଼ଭେନଚର ସ୍ପୋର୍ଟ୍ସ, ଜିପ୍‌‌ ଲାଇନ୍‌‌, ରୋପ୍‌‌ ସ୍ୱିଇଂ, କମାଣ୍ଡୋ ଏକସରସାଇଜ୍‌‌ର ମଜା ନେବା ସାଙ୍ଗକୁ ଦାସିଂବାଡ଼ି ୱାଟରଫଲ୍‌‌ ବା ମିଦୁବନ୍ଧା ଜଳପ୍ରପାତ ବୁଲିବାର ସୁଯୋଗ ପାଇବେ। ଏଠାରେ ମୁଖ୍ୟ ଆକର୍ଷଣ ପାଲଟିବ ମଣ୍ଡାସୁରୁ ସାଇଲେଣ୍ଟ ଭ୍ୟାଲି ଅଫ୍‌‌ ଓଡ଼ିଶା ବା ଓଡ଼ିଶାର ପ୍ରଥମ ବାଇଓଡାଇଭରସିଟି ସ୍ପଟ୍‌‌। ଫୁଲବାଣୀଠାରୁ ୯୬କିମି ଦୂର କନ୍ଧମାଳ ଜିଲ୍ଲା ରାଇଗିଆ ବ୍ଲକରେ ଥିବା ଏହି ପର୍ଯ୍ୟଟନସ୍ଥଳୀକୁ ନିକଟରୁ ଉପଭୋଗ କରିବାର ସୁଯୋଗ ଦେବ ଇକୋ ରିଟ୍ରିଟ୍‌‌।

ସେହିପରି ପ୍ରକୃତି, ସଂସ୍କୃତି ଏବଂ ବନ୍ୟଜନ୍ତୁରେ ଭରା ହିରାକୁଦ ଜଳଭଣ୍ଡାରର ପରିଦର୍ଶକଙ୍କୁ ଅପେକ୍ଷା କରିଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ୨୫ଟି ବିଳାସପୂର୍ଣ୍ଣ ତମ୍ବୁ ନିର୍ମାଣ କରାଯାଇଛି। ହିରାକୁଦ୍ ଡ୍ୟାମ୍, ଦେବ୍ରିଗଡ ୱାଇଲ୍ଡ ଲାଇଫ୍ ଅଭୟାରଣ୍ୟ ଏବଂ ମା ସମାଲେଶ୍ୱରୀ ମନ୍ଦିର ଆଦି ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିବ।

Comments are closed, but trackbacks and pingbacks are open.