ବୈଧ ଡକ୍ୟୁମେଣ୍ଟ ନ ଥିଲେ ଗାଡ଼ିକୁ ଧରିବ ଇ-ଡିଟେକ୍ସନ

28

ଭୁବନେଶ୍ୱର: ବୈଧ ଡକ୍ୟୁମେଣ୍ଟ ବିନା ଚାଲୁଥିବା ଗାଡ଼ିକୁ ଇ-ଡିଟେକ୍ସନ ଦ୍ୱାରା ଧରାଯିବ । ଡକ୍ୟୁମେଣ୍ଟ ଅପଡେଟ୍ ନଥାଇ ଚାଲୁଥିବା ଗାଡିକୁ ଧରିବାକୁ ପରିବହନ ବିଭାଗ ଯୋଜନା କରୁଛି । ଏଥିପାଇଁ ସ୍ୱତନ୍ତ୍ର ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ ହୋଇଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଫାଷ୍ଟଟ୍ୟାଗ୍ ଓ ଟୋଲଗେଟରୁ ତଥ୍ୟ ସଂଗ୍ରହ କରି ଇ-ଚାଲାଣ କଟାଯିବ । ଅପରପେକ୍ଷ ଆସନ୍ତା ଜାନୁଆରି ପହିଲାରୁ ଜାତୀୟ ରାଜପଥରେ ଇ-ଚିହ୍ନଟ ଲାଗୁ ଆରମ୍ଭ କରିବାକୁ ବିଭାଗ ଯୋଜନା କରୁଥିବା ସୂଚନା ମିଳିଛି । ପରିବହନ ବିଭାଗର ନିୟମ ଅନୁସାରେ ଏକ ଯାନ ସର୍ବସାଧାରଣ ରାସ୍ତାରେ ଯିବା ପାଇଁ ପଞ୍ଜୀକରଣ ପ୍ରମାଣପତ୍ର, ଫିଟନେସ୍ ସାର୍ଟିଫିକେଟ୍ ଏବଂ ଅନୁମତି ଭଳି ବୈଧ ଦଲିଲର ରହିବା ବାଧ୍ୟତାମୂଳକ । ସେହିପରି ପରିବହନ ଯାନ ଲାଗି ବୀମା, ପଲ୍ୟୁସନ ସାର୍ଟିଫିକେଟ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ସମସ୍ତ ଡ୍ରାଇଭରଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଜାତୀୟ ରାଜପଥରେ ଅବସ୍ଥିତ ଟୋଲ୍ ଫାଟକରୁ ସଂଗୃହିତ ନମୁନା ତଥ୍ୟ ଅନୁଯାୟୀ, ବୈଧ ଦଲିଲ ବିନା ବହୁ ସଂଖ୍ୟକ ଯାନବାହାନ ଚଳାଚଳ କରୁଛି । ଓଡ଼ିଶାର ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଦେଇ ଯାଉଥିବା ଏଭଳି ଯାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ଏକ ଇ-ଚିହ୍ନଟ (ଇ-ଡିଟେକ୍ସନ) ପୋର୍ଟାଲ ପ୍ରସ୍ତୁତ କରୁଛି । ଏ ବାବଦରେ ଯୁଗ୍ମ କମିସନର ଟ୍ରାନ୍ସପୋର୍ଟ ଦୀପ୍ତିରଞ୍ଜନ ପାତ୍ର (ଟେକ୍ନିକାଲ୍‌) କହିଛନ୍ତି ଯେ ‘ପୋର୍ଟାଲ୍ ଏଭଳି ଯାନଗୁଡିକ ଉପରେ ନିରବଚ୍ଛିନ୍ନ ଭାବରେ ଯାଞ୍ଚ କରିବ । ଜାତୀୟ ରାଜପଥରେ ଥିବା ବିଭିନ୍ନ ଟୋଲ୍ ଫାଟକରୁ ତଥ୍ୟ ସଂଗ୍ରହ କରିବା ପୋର୍ଟାଲର ଉଦ୍ଦେଶ୍ୟ । ପ୍ରଥମ ପର୍ଯ୍ୟାୟରେ ‘ଏନ୍‌ଏଚ୍‌ଏଆଇ’ର ଟୋଲ୍ ଗେଟ୍ ଗୁଡିକ ପୋର୍ଟାଲ୍ ସହିତ ଏକୀଭୂତ ହୋଇଛି । ପରବର୍ତ୍ତୀ ସମୟରେ ଖଣି ଏବଂ ଶିଳ୍ପ କ୍ଷେତ୍ରରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ । ବାହାନ ପୋର୍ଟାଲରେ ସବିଶେଷ ତଥ୍ୟ ସହିତ ବିଶ୍ଳେଷଣ କରାଯିବ ଏବଂ ବୈଧ ଡକ୍ୟୁମେଣ୍ଟ ବିନା ଚାଲୁଥିବା ଯାନଗୁଡ଼ିକ ପାଇଁ ସ୍ୱୟଂଚାଳିତ ଭାବରେ ଚାଲାଣ ସୃଷ୍ଟି ହେବ । ଫାଷ୍ଟଟାଗ୍ ମାଧ୍ୟମରେ ଅଣାଯାଇଥିବା ତଥ୍ୟ ଏବଂ ଏକ ଗାଡି ଟୋଲ୍ ଗେଟ୍ ଦେଇ ଯିବାବେଳେ କଏଦ ହୋଇଥିବା ଚିତ୍ର ଅନୁଯାୟୀ ତଥ୍ୟ ସଂଗ୍ରହ କରାଯିବ । ତୁରନ୍ତ ସୂଚନା ଗାଡି ମାଲିକମାନଙ୍କୁ ସଚେତନ କରିବ ଏବଂ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବାରେ ସାହାଯ୍ୟ କରିବ । ଯଦି କୌଣସି ଅପ୍ରତ୍ୟାଶିତ ଘଟଣା କିମ୍ବା ଦୁର୍ଘଟଣା ଘଟେ, ତେବେ ସମ୍ପୃକ୍ତ ଗାଡିର ବୈଧ ଦଲିଲ ନଥୁଲେ ଗାଡି ମାଲିକ କିମ୍ବା ପୀଡିତା କୌଣସି ବୀମା ଦାବି ପାଇବେ ନାହିଁ । ଶ୍ରୀ ପାତ୍ର ଗାଡି ମାଲିକମାନଙ୍କୁ ଗାଡି ଦଲିଲଗୁଡ଼ିକୁ ଅପଡେଟ୍ ରଖୁବାକୁ ଅନୁରୋଧ କରିଛନ୍ତି । ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ଗାଡି ମାଲିକଙ୍କ ପାଇଁ ମୋଟର ଯାନ ଅଧିନିୟମ ୧୯୮୮ରେ ଧାର୍ଯ୍ୟ କରାଯାଇଥିବା ନୀୟମ ପାଳନ କରିବା ଉଚିତ୍ । ଗାଡି ମାଲିକମାନେ ଦଣ୍ଡବିଧାନରୁ ରକ୍ଷା ପାଇବାକୁ ହେଲେ ସେମାନଙ୍କ ପାଖରେ ସମସ୍ତ ବୈଧ ଆବଶ୍ୟକୀୟ ଦଲିଲ ରହିବା ଉଚିତ୍ ବୋଲି ସେ ସୂଚନା ଦେଇଛନ୍ତି

Comments are closed, but trackbacks and pingbacks are open.