ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ଦୁଇ ୱେବ୍ ସାମ୍ବାଦିକଙ୍କୁ ସମନ

27

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ କମିଶନରେଟ୍ ପୋଲିସ ଦୁଇ ଜଣ ୱେବ୍ ସାମ୍ବାଦିକଙ୍କୁ ନୋଟିସ କରିଛି । ଦୁଇ ୱେବ୍ ସାମ୍ବାଦିକ ଅସିତ ରାଉତ ଏବଂ ଦାମୋଦର ସେଠୀଙ୍କୁ କଟକ ମଙ୍ଗଳାବାଗ ପୋଲିସ ନୋଟିସ୍ କରିଛି । ଏହି ଦୁଇ ୱେବ୍ ସାମ୍ବାଦିକ ଦୁଷ୍ମନ୍ତଙ୍କୁ ବିଧାନସଭା ଆଗରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ସେମାନଙ୍କୁ ପୋଲିସ ସମନ କରିଥିବା ଜଣାପଡିଛି ।

ବିଧାନସଭା ଅଧିବେଶନ ଚାଲିଥିବାବେଳେ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ନିଜ ହାତକାଟି ବିଧାନସଭା ସାମ୍ନାରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ କାହା ପ୍ରରୋଚନାରେ ସେ ଆତ୍ମହତ୍ୟା କରିବାକୁ ଆସିଥିଲେ ସେନେଇ ପୋଲିସ ତନାଘନା ଆରମ୍ଭ କରିଥିଲା ।

ଅନ୍ୟପଟେ ତାଙ୍କ ମା ମଧ୍ୟ ଏହି ଘଟଣାରେ ଏକ ଚାଞ୍ଚଲ୍ୟକର ବୟାନ ରଖିଥିଲେ । ତାଙ୍କ ପୁଅକୁ କେହି ବୁଝାଇ ସୁଝାଇ ଭୁବନେଶ୍ୱର ନେଇ ଯାଇଥିଲା ବୋଲି ସେ ସୂଚନା ଦେଇଥିଲେ । ଏହାପରେ ଏହି ଘଟଣାରେ କମିଶନରେଟ୍ ପୋଲିସ ତନାଘନା କରିବା ସହିତ ଏବେ ଦୁଇ ୱେବ୍ ସାମ୍ବାଦିକଙ୍କୁ ସମନ କରିଛି । କାରଣ ତାଙ୍କ ମାଙ୍କ ସୂଚନାନୁସାରେ ଦୁଷ୍ମନ୍ତ ଦାସ ଠିକ ଭାବରେ ଚାଲି ପାରୁ ନ ଥିଲେ I ତେଣୁ ସେ ଭୁବନେଶ୍ଵର କେମିତି ପହଁଚିଲେ ?ପୁଣି ରାସ୍ତା ପାର ହୋଇ ବିଧାନ ସଭା ଆଗକୁ ଗଲେ କିପରି ?ଏହା ସହିତ ତାଙ୍କ ମା ପୁଣି କହିଥିଲେ କି ତାଙ୍କ ପୁଅ କୁ କେହି ଜଣେ ଫୋନ କରି ଡାକିଥିଲେ I ତେବେ ଏହି ସମ୍ବେଦନଶୀଳ ଘଟଣା ରେ କମିଶନରେଟ୍ ପୋଲିସ ତଦନ୍ତ କରୁଛି I

Leave A Reply

Your email address will not be published.