ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

17

ଶ୍ରୀମନ୍ଦିରରେ ଯାଇ ଶ୍ରୀ ଜୀଉ ଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଅପରାହ୍ଣ ୫ଟା ରେ କଡା ସୁରକ୍ଷାବଳୟ ମଧ୍ୟରେ ସପରିବାରେ ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିଛନ୍ତି I ପ୍ରାୟ ୪୫ ମିନିଟ୍ ଧରି ରାଷ୍ଟ୍ରପତି ଶ୍ରୀମନ୍ଦିରରେ ରହିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଦର୍ଶନ ନିମନ୍ତେ ଆଜି ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା ।


ସ୍ୱତନ୍ତ୍ର ବାୟୁ ସେନା ବିମାନରେ ରାଷ୍ଟ୍ରପତି ଅପରାହ୍ଣ ୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲେ I ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଭୁବନେଶ୍ୱର ବିମାନବନ୍ଦରରୁ ବାୟୂସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ସେଠାରୁ ସିଧାସଳଖ ପୁରୀ ଆସିଥିଲେ। ତାଙ୍କ ସାଙ୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଆସିଛନ୍ତି। ୩ଟା ୫ରେ ପୁରୀ ହେଲିପ୍ୟାଡ୍ ରେ ପହଁଚିବା ପରେ ସେଠାରୁ ରାଜଭବନକୁ ଯାଇଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାତିରେ ପୁରୀରେ ଅବସ୍ଥାନ କରିବେ । ସେଥିପାଇଁ ପୁରୀ ସ୍ଥିତ ରାଜଭବନରେ ବ୍ୟବସ୍ଥା କରାଯାଇଛି।ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁନ୍ଦର ସୁନ୍ଦର ରଙ୍ଗିନ ଆଲୋକରେ ରାଜଭବନ କୁ ସଜ୍ଜିତ କରାଯାଇଛି । ସେପଟେ ରାଷ୍ଟ୍ରପତିଙ୍କ ସହ ଆସିଥିବା ୪୦ ଜଣ ଅତିଥି ଘରୋଇ ହୋଟେଲରେ ରହିଛନ୍ତି । ଅଫିସିଆଲ୍ କର୍ମକର୍ତା ସର୍କିଟ ହାଉସ୍ ଓ ପାନ୍ଥନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।


ଆସନ୍ତାକାଲି ସକାଳ ୧୦ଟା ୩୫ରେ ରାଷ୍ଟ୍ରପତି ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ। ସେଠାରୁ ରାଷ୍ଟ୍ରପତି ସିଧା ଶରଧାବାଲି ସଭାସ୍ଥଳରେ ପହଞ୍ଚିବେ ଓ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ (ଗୌଡ଼ୀୟ ମଠ ମିଶନର ପ୍ରତିଷ୍ଠାତା)ଙ୍କ ୧୫୦ତମ ଜୟନ୍ତୀ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ସାରି ସେ ଭୁବନେଶ୍ୱର ଫେରିଯିବେ ଓ ସେଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ବ୍ଲୁ-ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାଳବଣିଆ ଠାରୁ ଆରମ୍ଭ କରି ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ୪୦ ପ୍ଲାଟୁନ ପୁଲିସ କର୍ମୀ ଓ ୨ଶହ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

Comments are closed, but trackbacks and pingbacks are open.