ପଶ୍ଚିମା ଝଡ଼ ପ୍ରଭାବରେ କମିବ ଶୀତ, ୩ ଜିଲ୍ଲାରେ ଘନ କୁହୁଡ଼ି ଆଲର୍ଟ

34

ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ ତାପମାତ୍ରା ବଢିବା ସହ ଶୀତର ପ୍ରକୋପ କମିବ। ସାରା ରାଜ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ପାରଦର ସ୍ତର ବଢିବା ସହ ଶୀତରୁ ସାମାନ୍ୟ ଅଶ୍ୱସ୍ତି ମିଳିବ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସକ୍ରିୟ ପଶ୍ଚିମା ଝଡ଼କୁ ନେଇ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଥିବା ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇ ହାଲୁକା ଶୀତ ଅନୁଭୂତ ହେଉଛି। ସେପଟେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି଼ ଦୃୃଶ୍ୟମାନ ହେବାକୁ ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ଆଗାମୀ ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଏହାପରେ ପରବର୍ତ୍ତୀ ୨ ଦିନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ସେହିପରି ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତାକାଲି କିଛି ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ। ଏଥିପାଇଁ ୩ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଭୋର ସମୟରେ କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ୨୪ ତାରିଖରେ ମଧ୍ୟ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ହାଲୁକା କୁହୁଡ଼ି ଦୃଶ୍ୟମାନ ହେବ। ଗତ ୨୪ ଘଣ୍ଟା ମଧ୍ୟରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପାରଳାଖେମୁଣ୍ଡିରେ ସର୍ବାଧିକ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୪.୪ ଓ ୧୪.୮ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed, but trackbacks and pingbacks are open.