‘କୃଷି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜିର ପ୍ରୟୋଗ ଆରମ୍ଭ ହୋଇଛି, ୨ ଗୁଣ ହେବ ଚାଷୀଙ୍କ ଆୟ’

26

ଦେଶ ଆଜି କୃଷି କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି। କୃଷି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜି ପ୍ରୟୋଗ ଆରମ୍ଭ ହୋଇଛି। କୃଷି ପାଇଁ ଆମେ ବିଶ୍ୱରେ ଉତ୍ପାଦନରେ ବଳକା ରାଷ୍ଟ୍ର ହୋଇପାରିଛୁ। ଓଡ଼ିଶାର ଚାଷୀ ମଧ୍ୟ ଟେକ୍ନୋଲୋଜିର ବ୍ୟବହାର କରି ଆଗକୁ ବଢ଼ନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ସେ କହିଛନ୍ତି, ଟେକ୍ନୋଲୋଜି ବ୍ୟବହାର କରି ଚାଷୀ କମ୍ ପରିଶ୍ରମରେ ଯେପରି ନିଜର ଆୟକୁ ଦି ଗୁଣା କରିବେ, ତାହା ଉପରେ କେନ୍ଦ୍ର ସରକାର ଧ୍ୟାନ ଦେଉଛନ୍ତି। ଏଥିଲାଗି ଏସ୍ଓପି ମଧ୍ୟ ଜାରି କରାଯାଇଛି। ଏହା ଉପରେ କାମ ଆରମ୍ଭ ହୋଇ ସାରିଛି। ଏହା ଦ୍ୱାରା ଚାଷୀ ବିଶେଷ ଲାଭବାନ ହେବେ। କୃଷି ଓ କୃଷି ଭିତ୍ତିକ କ୍ଷେତ୍ରର ଉନ୍ନତି ପାଇଁ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ତୋମାର କହିଛନ୍ତି, ପୂର୍ବରୁ ମାନ୍ଦାବସ୍ଥାରେ କୃଷି ଅର୍ଥନୀତି ଦେଶର ଆର୍ଥିକ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରିବାରେ ସହାୟତା କରିଥିଲା। ଏବେ କୋଭିଡ୍ ବେଳେ ମଧ୍ୟ କୃଷି ଅର୍ଥନୀତି ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ବି ଆମ ଦେଶର କୃଷି ଅର୍ଥନୀତି ଆଗକୁ ବଢ଼ି ଚାଲିଛି। ଆଉ ଏହା ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିଛି। ଚାଷୀଙ୍କ ପରିଶ୍ରମ ଯୋଗୁଁ ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆମେ ଆତ୍ମନିର୍ଭର ହୋଇପାରିଛୁ। କୃଷି ଉତ୍ପାଦନରେ ବଳକା ରାଷ୍ଟ୍ର ହେବା ସହ କୃଷିଜାତ ଦ୍ରବ୍ୟ ଏକ୍ସପୋର୍ଟ କ୍ଷେତ୍ରରେ ପ୍ରଥମ ୧୦ ଦେଶ ମଧ୍ୟରେ ରହିଛି ଭାରତ। କୃଷି କ୍ଷେତ୍ରରେ ଚାଷୀଙ୍କ ପରିଶ୍ରମ କିଭଳି କମ୍‌ ହେବ, ଚାଷୀ କିପରି ଟେକ୍ନୋଲୋଜି ସହ ପରିଚିତ ହେବେ, ଚାଷୀ କିପରି ନୂଆ ଲୋକଙ୍କୁ ରୋଜଗାର ଦେବେ ଓ ଚାଷୀଙ୍କ ଆୟ କିଭଳି ବଢ଼ିବ ସେ ନେଇ ପଦକ୍ଷେପ ନିଆଯାଉଛି।

ସେ ଆହୁରି କହିଛନ୍ତି, ସଏଲ୍ ହେଲ୍‌ଥ ଚେକ୍‌ଅପ୍‌ ଅଭିଯାନ ପୂରା ଭାରତରେ ହୋଇଛି। ଜମିର ଉର୍ବରତା ବଜାୟ ରଖିବା ପାଇଁ ପଦକ୍ଷେପ ନିଆଯାଉଛି। ସେଥିପାଇଁ ଜୈବିକ କୃଷି ଉପରେ ଗୁରୁତ୍ୱ ଦିଆଯାଉଛି। ଜମିରେ ରାସାୟନିକ ସାର ବ୍ୟବହାର କମ୍‌ କରି ପ୍ରାକୃତିକ ଉପାୟରେ ଚାଷ କଲେ ପ୍ରକୃତି ଓ ପରିବେଶ ସୁରକ୍ଷିତ ରହିବା ସହିତ ଖାଦ୍ୟର ଗୁଣବତ୍ତା ବୃଦ୍ଧି ପାଇବ ବୋଲି ଶ୍ରୀ ତୋମାର କହିଛନ୍ତି।

ଓଡ଼ିଶା ସମ୍ପର୍କରେ ସେ କହିଛନ୍ତି, ଏହା ଖଣିଜ ସଂପଦରେ ଭରପୁର ରାଜ୍ୟ ହୋଇଥିବା ସତ୍ତ୍ୱେ ଗରିବୀ ଏହାର ପିଛା ଛାଡୁ ନଥିଲା। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଓଡ଼ିଶାର ଉନ୍ନତି ହୋଇଛି। ରେଳ ସଂଯୋଗୀକରଣଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ପ୍ରାଧାନ୍ୟ ଦେଉଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ତୋମାର କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆତ୍ମନିର୍ଭର ହେଉଛି ଦେଶ। ବିଭିନ୍ନ କ୍ଷେତ୍ରରେ ଭାରତ ସରକାରଙ୍କ ଭୂମିକା ପ୍ରଶଂସନୀୟ। ମୋଦିଙ୍କ ନେତୃତ୍ୱରେ ନର୍ଥ ଇଷ୍ଟ ବିକାଶ ଧାରାରେ ସାମିଲ ହୋଇଛି। ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସବୁବେଳେ ଗୁରୁତ୍ୱ ଦିଆଯାଉଛି। କୃଷି କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି। ଚାଷୀଙ୍କ ଖାତାରେ ୧ ଲକ୍ଷ ୮୨ ହଜାର କୋଟି ଜମା ହୋଇଛି।

Comments are closed, but trackbacks and pingbacks are open.