ଗହମ ଜମିରେ ଡ୍ରିମଗାର୍ଲ ହେମା ମାଳିନୀ

21

ଉତ୍ତରପ୍ରଦେଶ: ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ଆସନ୍ତା ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ସେଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ନିର୍ବାଚନୀ ପ୍ରଚାର ପାଇଁ ପାର୍ଥୀମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭିନ୍ନ ଚିତ୍ର । ଫସଲ ଅମଳ ସମୟରେ ଚାଷ ଜମି ଭିତରେ ପ୍ରଚାର କରୁଛନ୍ତି ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ତଥା ଡ୍ରିମଗାର୍ଲ ହେମା ମାଳିନୀ ।

ମଥୁରାରୁ ବିଜେପି ସାଂସଦ ପାର୍ଥୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀ ନିର୍ବାଚନୀ ପ୍ରଚାର ପାଇଁ ଗାଁର ମହିଳା ମାନଙ୍କ ସହ ଫସଲ କାଟୁଥିବା ଦେଖିବାକୁ ମିଳିଛି । ଫସଲ କାଟିବା ବେଳର ଫଟୋ ନିଜେ ହେମା ମାଳିନୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରିଛନ୍ତି । ଉଦୁଉଦିଆ ଖରାରେ ଅଭିନେତ୍ରୀ ହେମା ମାଳିନୀ ଏକ କାଞ୍ଜିଭରମ୍ ସାଢୀ ପିନ୍ଧି ଚାଷ ଜମିରେ ଫସଲ କାଟିଛନ୍ତି । ଚାଷ ଜମିରେ ଫସଲ କାଟିବା ବେଳେ ସେଠାରେ କାମ କରୁଥିବା କିଛି ମହିଳାଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ହେମା ମାଳିନୀ ।

କହିରଖୁଛୁ ଯେ, ଗତ ଦଶ ବର୍ଷ ଧରି ମଥୁରାର ସାଂସଦ ରହି ଆସିଛନ୍ତି ଡ୍ରିମଗାର୍ଲ ହେମା । ସେ ପ୍ରାୟତଃ ସମୟରେ ଏପରି ଭିନ୍ନ ଭିନ୍ନ ଅନ୍ଦାଜତେ ଜନତାଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିଥାଆନ୍ତି । ୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ମଧ୍ୟ ହେମାଙ୍କୁ ଏପରି ଫସଲ ଅମଳ କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିପାଇଁ ବିରୋଧୀ ଦଳ ମଧ୍ୟ ତାଙ୍କୁ ବହୁତ ଟ୍ରୋଲ କରିଥିଲେ ଏବଂ ନିର୍ବାଚନ ଜିତିବା ପାଇଁ ଲୋକମାନେ କିଛି ବି କରିବାକୁ ପ୍ରସ୍ତୁତ ବୋଲି କହିଥିଲେ । ତେବେ ଚଳିତ ନିର୍ବାଚନରେ ହେମା ତୃତୀୟ ଥର ପାଇଁ ଏଠାରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।

Comments are closed, but trackbacks and pingbacks are open.