ବଡଦାଣ୍ଡରେ ଚାଲି ଚାଲି ଜଗା ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

30

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ବଳଗଣ୍ଡି ଛକରୁ କାର୍‌ରୁ ଓହ୍ଲାଇ ବଡଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଇ  ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି। ବଡ଼ଦାଣ୍ଡରେ ରାଷ୍ଟ୍ରପତି ଚାଲି ଚାଲି ଯିବା ସମୟରେ ତାଙ୍କ ଚାରିପଟେ ସୁରକ୍ଷା ଅଧିକାରୀ  ତଥା ଆଗ ଧାଡ଼ିର ନେତା ଓ ଅଧିକାରୀ ବି ଚାଲି ଚାଲି ଯାଇଥିଲେ। ବଡ଼ ଦାଣ୍ଡରେ ପହଞ୍ଚିବା ପରେ ଆତ୍ମ ବିଭୋର ହୋଇ ପଡ଼ିଥିଲେ ଦେଶର ପ୍ରଥମ ନାଗରିକ । ଅରୁଣ ସ୍ତମ୍ଭଙ୍କୁ ସ୍ପର୍ଶ କରି ନମସ୍କାର ହୋଇଥିବା ବେଳେ ବଡ଼ ଦାଣ୍ଡରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ଏହାପରେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପାଦ ପ୍ରେକ୍ଷାଳନ ସ୍ଥାନରେ ନିଜ ପାଦ ଧୋଇ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ୨ ଦିନିଆ ଓଡ଼ିଆ ଗସ୍ତରେ ଆସି ଆଜି ପୂର୍ବାହ୍ନ ୧୦ଟା୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେଠାରୁ ସିଧାସଳଖ ଏକ  ପୁରୀ ଯାଇ ତାଳବଣିଆସ୍ଥିତ ହେଲିପ୍ୟାଡରେ ପୂର୍ବାହ୍ନ ୧୧ଟା୪୦ରେ ଅବତରଣ କରିଥିଲେ। ଏହାପରେ ସେଠାରୁ କଡ଼ା ସୁରକ୍ଷା ବଳୟରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସ୍ୱାଗତ ନିମନ୍ତେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡା, ଗଜପତି ମହାରାଜା ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଗଜପତି ମହାରାଜା ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱାଗତ ଜଣାଇଥିଲେ।

Comments are closed, but trackbacks and pingbacks are open.