ଓଡ଼ିଶାରୁ ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

41

ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ଓଡିଶାର ଆଦିବାସୀ ନେତା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ବିଜେପି ନେତୃତାଧୀନ ଏନଡିଏ ମେଣ୍ଟ । ଏନେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ମଙ୍ଗଳବାର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେପିର ସଂସଦୀୟ ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏଂ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସଂସଦୀୟ ବୋର୍ଡର ଅନ୍ୟ ସଦସ୍ୟ ବୈଠକରେ ଉପସ୍ଥିତ ରହିଥିଲେ।
ରାଷ୍ଟ୍ରପତି ନିର୍ବାଚନ ରେ ଦ୍ରୌପଦୀ ମୁର୍ମୁଙ୍କର ଲଢେଇ ହେବ ବିରୋଧୀ ଦଳ ର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ I ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେଲେ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ସୃଷ୍ଟି କରିବେ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ। ଓଡିଶାର ମୟୂରଭଞ୍ଜର ବୈଦପୋଷୀ ଗାଁରେ ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ । ଏହାସହ ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ । ଓଡିଶାର ବିଜେପି-ବିଜେଡି ସରକାର ମେଣ୍ଟ ସରକାରରେ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାସହ ପରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ। ୨୦୦୦ରୁ ୨୦୦୯ ଯାଏଁ ମୟୂରଭଞ୍ଜର ରାଇରଙ୍ଗପୁରରୁ ବିଜେପି ଟିକେଟରେ ଜିତି ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଶ୍ରୀମତୀ ମୁର୍ମୁ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ଏହି ନେତ୍ରୀଙ୍କର ୧୯୯୭ରେ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ସେ ପ୍ରଥମେ ଜଣେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ପରେ ରାଇରଙ୍ଗପୁରର ଉପାଧ୍ୟକ୍ଷ ହୋଇଥିଲେ । ସେହି ବର୍ଷ ତାଙ୍କୁ ଓଡ଼ିଶା ବିଜେପି ଜନଜାତି ମୋର୍ଚ୍ଚାର ସଭାପତି କରାଗଲା । ପରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୭ରେ ଓଡ଼ିଶା ବିଧାନସଭାରେ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ପରସ୍କାର ଜିତିଥିଲେ । ସେ ଦୁଇ ଦୁଇଥର ରାଇରଙ୍ଗପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଆଉ ସବୁ ବେଳେ ଜନଜାତିଙ୍କ ଉନ୍ନତି ଦିଗରେ କାମ କରିଛନ୍ତି ।

Comments are closed, but trackbacks and pingbacks are open.