ଡକ୍ଟର ଇତି ସାମନ୍ତଙ୍କୁ ‘ସୃଜନର ସନ୍ଧାନୀ ସମ୍ମାନ’ ପ୍ରଦାନ

134

‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ ଏକ ସଂଗ୍ରହଣୀୟ ସଂକଳନ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର : ୨୭ା୦୭- ନିକଟରେ ଉନ୍ମୋଚିତ ହୋଇଯାଇଥିବା ସୁସାହିତ୍ୟିକା ଡକ୍ଟର ଇତି ସାମନ୍ତଙ୍କ ମନ୍ମୟ-ପ୍ରବନ୍ଧ ପୁସ୍ତକ ‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ ଏକ ସାର୍ଥକ ସୃଷ୍ଟି । ଏଥିରେ ଭାରତୀୟ ଜୀବନଧାରାକୁ ବହୁ ଅମୂଲ୍ୟ ଅବଦାନ ଦେଇ ରୁଦ୍ଧିମନ୍ତ
କରିଥିବା ଅନାଲୋଚିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ କରିଛନ୍ତି ଲେଖିକା । ଏହି ପୁସ୍ତକଟି ଆଗାମୀ ପିଢ଼ି ପାଇଁ ଏକ ଶିକ୍ଷଣୀୟ ଓ ସଂଗ୍ରହଣୀୟ ଗ୍ରନ୍ଥ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱନୀ କୁମାର ପାତ୍ର
ପ୍ରକାଶ କରିଛନ୍ତି । ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ସଂସ୍କୃତି’ ପକ୍ଷରୁ ବିଶିଷ୍ଟ ଲେଖିକା ଡକ୍ଟର ଇତି ସାମନ୍ତଙ୍କୁ ‘ସୃଜନର ସନ୍ଧାନୀ’ ପୁରସ୍କାର ପ୍ରଦାନ ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ ଭଳି ଏକ ଉଚ୍ଚକୋଟୀର ପୁସ୍ତକ
ପାଇଁ ଲେଖିକାଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ ।


ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ କାର୍ଯ୍ୟାଳୟସ୍ଥ ସଭାଗୃହରେ ଆଜି ଅନୁଷ୍ଠିତ ‘ସଂସ୍କୃତି ସଂସ୍କୃତି’ ଅନୁଷ୍ଠାନର ଏହି ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ
ଶ୍ରୀଯୁକ୍ତ ଅଶ୍ୱନୀ କୁମାର ପାତ୍ର । ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ ହାଲି ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅମିତାଭ ଖିଲାର ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ନିଜ ବକ୍ତବ୍ୟରେ ପୁସ୍ତକର ଆଦର ସବୁବେଳେ ରହିବ ଏବଂ ଆଧୁନିକ ଜ୍ଞାନକୌଶଳ ଏହାର ବିଶେଷ କିଛି କ୍ଷତି ଘଟାଇ ପାରିବ ନାହିଁ ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ ହାଲି କହିଥିଲେ ଯେ,
ଜଣେ ପ୍ରତିଭାଙ୍କୁ ପ୍ରୋତ୍ସାହିତ କଲେ ସେ ଉତ୍ସାହିତ ହେବେ ଓ ଆଗକୁ ବଢ଼ି ପାରିବେ ।
ସୁସାହିତ୍ୟିକା ଡକ୍ଟର ଇତି ସାମନ୍ତ ‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ ଭଳି ଉତ୍କୃଷ୍ଟ ସାହିତ୍ୟ ରଚନା କରିଥିବାରୁ ତାଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟନେଇ ‘ସଂସ୍କୃତି ସଂସ୍କୃତ’ ଅନୁଷ୍ଠାନ ‘ସୃଜନର ସନ୍ଧାନୀ’ ସମ୍ମାନ ପ୍ରଦାନ କରିଛି । ଡକ୍ଟର ସାମନ୍ତ ଆଗାମୀ ଦିନରେ
ଏହିଭଳି ଉଚ୍ଚକୋଟୀର ଓ ଶିକ୍ଷଣୀୟ ପୁସ୍ତକ ରଚନା କରିବା ସହ ଅଧିକ ସାହିତ୍ୟ ବ୍ରତୀ ହୁଅନ୍ତୁ ବୋଲି ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

Comments are closed, but trackbacks and pingbacks are open.