ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ଜୀବନ ବଞ୍ଚାଉଥିବା ଓଆରଏସ୍‌ ର ଉଦ୍ଭାବକ ଡାକ୍ତର ଦିଲୀପ ମହଲାନାବିସଙ୍କ ଦେହାନ୍ତ

145

ଆମର ଯେ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଲେ ଔଷଧ ବାଦ ପ୍ରଥମେ ମନକୁ ଆସେ ଓଆରଏସ I ଡାଇରିଆ ହେଉ କିମ୍ବା ଦେହର ଦୁର୍ବଳତା କାଟିବାକୁ ହେଉ ଓଆରଏସ ର ଘୋଳ ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି I ଓଆରଏସ ପ୍ୟାକେଟ ବ୍ୟତୀତ ବର୍ତ୍ତମାନ ଏହା ବିଭିନ୍ନ ଫ୍ଲେଭର ର ଲିକୁଇଡ୍‌ ଜୁସ ଆକାରରେ ମଧ୍ୟ ବାହାରିଲାଣି । ଯାହାକୁ ପିଇଲେ ଶରୀରର ଜଳୀୟ ଅଂଶ ପୂର୍ଣ୍ଣ ରୁହେ । ଛୋଟ ପିଲାଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଶାରୀରିକ ଦୁର୍ବଳତା ପାଇଁ ଏସବୁ ପାଇଁ ରାମବାଣ ପରି କାମ କରେ । ବିଶେଷକରି ଏହା ଡାଇରିଆ,ଜ୍ୱର କିମ୍ବା ଲୋ ବ୍ଲଡ ପ୍ରେସର୍ ପାଇଁ ଭଲ କାମ କରେ।

କିନ୍ତୁ ଲାଇଫ ସେଭ୍ କରୁଥିବା ଏହି ORS କେବେ ଓ କିଏ ତିଆରି କରିଥିଲେ ଆପଣ କ’ଣ ଜାଣିଛନ୍ତି କି? ଆଜି ଆମେ ସେହି ମହାନ୍ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଏହି ଜୀବନ ବଞ୍ଚାଉଥିବା ମିଶ୍ରଣ ତିଆରି କରିଥିଲେ। କିନ୍ତୁ ସେ ଆଜି ଆମ ଗହଣରେ ନାହାନ୍ତି। ଓଆରଏସର ଉଦ୍ଭାବକ ଡାକ୍ତର ଦିଲୀପ ମହଲାନାବିସଙ୍କ ଗତ ଅକ୍ଟୋବର ୧୬ ତାରିଖରେ କୋଲକାତା ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା I ସେ ତାଙ୍କ ଜୀବନକାଳରେ ଯେଉଁ ସଂଜୀବନୀ ମଣିଷ ସମାଜକୁ ଦେଇଛନ୍ତି ସେଥି ପାଇଁ ଆମେ ତାଙ୍କୁ କୋଟି କୋଟି ଧନ୍ୟବାଦ୍ ଦେବା ଉଚିତ୍।

ଗତ କିଛି ଦିନ ହେବ ଦିଲୀପ ମହଲାନୋବିସ୍ ଅସୁସ୍ଥ ହୋଇ କୋଲକାତାର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଫୁସଫୁସରେ ସଂକ୍ରମଣ ଦେଖାଦେଇଥିଲା। ଡକ୍ଟର ମହଲାନୋବିସ୍ ୧୨ ନଭେମ୍ବର ୧୯୩୪ ରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ। ୧୯୫୮ ମସିହାରେ କଲିକତା ମେଡିକାଲ କଲେଜରୁ ସ୍ନାତକ ହାସଲ କରିବା ପରେ ସେ ଶିଶୁ ଡାକ୍ତର ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ଲଣ୍ଡନ ଯାଇ ସେଠାରେ ଥିବା ଜାତୀୟ ସ୍ୱାସ୍ଥ୍ୟ ସେବାରେ ଯୋଗ ଦେଇଥିଲେ। ଏଠାରୁ ତାଙ୍କର MRCP ସମାପ୍ତ କରିଥିଲେ I ପରେ ସେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ, ଯେଉଁଥିରେ କୋଲକାତାର ବେଲିୟାଗାଟା ଆଇଡି ହସ୍ପିଟାଲରେ କଲେରା ଚିକିତ୍ସା ପାଇଁ ଏକ ଆନ୍ତର୍ଜାତୀୟ କେନ୍ଦ୍ର ମଧ୍ୟ ରହିଥିଲା। ଏହା ପରେ ଡକ୍ଟର ମହଲାନୋବିସ୍ ଭାରତକୁ ଫେରି ୧୯୬୪ ମସିହାରେ ଓରାଲ ରିହାଇଡ୍ରେସନ୍ ଥେରାପି ଉପରେ ତାଙ୍କର ଅନୁସନ୍ଧାନ ଆରମ୍ଭ କରିଥିଲେ।

୧୯୭୧ ମସିହାରେ ବାଂଲାଦେଶ ଯୁଦ୍ଧ ସମୟରେ ଲକ୍ଷ ଲକ୍ଷ ଶରଣାର୍ଥୀ ପୂର୍ବ ପାକିସ୍ଥାନ ଛାଡିବାକୁ ବାଧ୍ୟ ହୋଇଥିଲେ। ସେତେବେଳେ ପୂର୍ବ ପାକିସ୍ତାନର ଲକ୍ଷ ଲକ୍ଷ ଲୋକ ଭାରତରେ ଆଶ୍ରୟ ନେଇଥିଲେ। ଏହି ଶରଣାର୍ଥୀ ଶିବିରରେ ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ ସମସ୍ୟା ଥିଲା। ସେହି ସମୟରେ ଡାକ୍ତର ଦିଲୀପ ଶରଣାର୍ଥୀ ଶିବିରରେ କାର୍ଯ୍ୟ କରୁଥିଲେ I ସେତେବେଳେ ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଡିହାଇଡ୍ରେଡ୍ ହୋଇ ଶରଣାର୍ଥୀ ଶିବିରରେ କଲେରା ଏବଂ ଡାଇରିଆ ବ୍ୟାପିଥିଲା । ସେହି ସମୟରେ ତାଙ୍କ ଦ୍ଵାରା ତିଆରି ଏହି ORS ଅନେକ ଲୋକଙ୍କ ଜୀବନ ବଞ୍ଚାଇ ଥିଲା। ସେ ଡାଇରିଆ ରୋଗର ଚିକିତ୍ସା ପାଇଁ ଲୁଣ, ବେକିଂ ସୋଡା ଏବଂ ଗ୍ଲୁକୋଜର ମିଶ୍ରଣକୁ ନେଇ ORS ତିଆରି କରିଥିଲେ I ପାଣିରେ ଲୁଣ ଏବଂ ଗ୍ଲୁକୋଜର ମିଶ୍ରଣ ପ୍ରସ୍ତୁତ କରି ବଡ଼ ଡ୍ରମରେ ରଖି ପରୀକ୍ଷା କରିବା ଆରମ୍ଭ କଲେ, ଆଉ ଡାଇରିଆ ରୋଗୀଙ୍କୁ ସେହି ପାଣି ପିଇବାକୁ ଦିଆଯାଇଥିଲା। ଯାହା ପିଇବା ପରେ ଅନେକ ଲୋକ ଠିକ୍ ହୋଇଥିଲେ। ପରେ ଡକ୍ଟର ମହଲାନାବିସ୍ ୧୯୭୧ ମସିହାରେ WHO ର ଦକ୍ଷିଣ-ପୂର୍ବ ଏସିଆ ଜର୍ଣ୍ଣାଲ ଅଫ୍ ପବ୍ଲିକ୍ ହେଲଥରେ ଲେଖି ଥିଲେ , “କଲେରାର ଚିକିତ୍ସା ପାଇଁ ଔଷଧ ତିଆରି ହୋଇଛି। ଏହାକୁ ଆହୁରି ଅଧିକ ପରିମାଣରେ ପ୍ରସ୍ତୁତ କରିବାକୁ ପଡିବ। ଲୋକଙ୍କୁ ଏହା ଅନେକ ବଡ଼ ସ୍ୱାସ୍ଥ୍ୟ ସମସସ୍ୟାରୁ ରକ୍ଷା କରିବ ।ଯେତେବେଳେ ସେ ORS ଆଣିଥିଲେ, କୁହାଯାଇଥିଲା କି ଏହା ହେଉଛି “ବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଆବିଷ୍କାର” । ଡିହାଇଡ୍ରେସନ୍ ପାଇଁ ଏକ ସରଳ, ପ୍ରଭାବଶାଳୀ ପ୍ରତିକାର ଭାବରେ ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍ (ORS) ସାରା ବିଶ୍ୱରେ ଚିକିତ୍ସା ଜଗତରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା I

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁଯାୟୀ, ବିକାଶଶୀଳ ଦେଶମାନଙ୍କରେ ଶିଶୁ ଏବଂ ଛୋଟ ପିଲାମାନଙ୍କ ମୃତ୍ୟୁର ମୁଖ୍ୟ କାରଣ ମଧ୍ୟରେ କଲେରା ଭଳି ଡାଇରିଆ ରୋଗ ଅଧିକ ମାତ୍ରାରେ ହୋଇଥାଏ । ଯେଉଁଠାରେ ରୋଗୀ ଡିହାଇଡ୍ରେସନ ବା ଜଳ ଶୁଷ୍କତା ହେତୁ ମୃତ୍ୟୁବରଣ କରନ୍ତି। ORS ହେଉଛି ଜଳ, ଗ୍ଲୁକୋଜ ଏବଂ ଲୁଣର ମିଶ୍ରଣ, ଏହାକୁ ରୋକିବା ପାଇଁ ଏକ ସରଳ ଉପାୟ। ୧୯୭୫ରୁ ୧୯୭୯ ମସିହା ପର୍ଯ୍ୟନ୍ତ ଡାକ୍ତର ମହଲାନାବିସ୍ କଲେରା ନିୟନ୍ତ୍ରଣ କରିବା ପାଇଁ ଆଫଗାନିସ୍ତାନ, ଇଜିପ୍ଟ ଏବଂ ୟେମେନରେ WHO ପାଇଁ କାର୍ଯ୍ୟ କରିଥିଲେ। ଅଶି ଦଶକରେ ସେ ରୋଗର ପରିଚାଳନା ନେଇ ହେଉଥିବା ଗବେଷଣା ଉପରେ WHO ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ୨୦୦୨ରେ ସେ ଡାକ୍ତର ନାଥାନିଏଲ ଏଫ ପିରେସଙ୍କ ସହ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପୋଲିନ ନୋବେଲ ପୁରସ୍କାର ପାଇଥିଲେ। କହିବାକୁ ଗଲେ ତାଙ୍କର ମୃତ୍ୟୁରେ ଏକ ଯୁଗର ଶେଷ ବୋଲି ବିବେଚନା କରାଯାଉଛି। ପିଲାମାନଙ୍କର ଡାଇରିଆ ରୋଗ ପାଇଁ ଚିକିତ୍ସାର ମୁଖ୍ୟ ଔଷଧ ହେଉଛି ଓରାଲ୍ ରିହାଇଡ୍ରେସନ୍ ବା ORS।

ORS ହେଉଛି ଏକମାତ୍ର ଚିକିତ୍ସା ଯାହା କୌଣସି ଔଷଧ ନୁହେଁ କିନ୍ତୁ ମଣିଷକୁ ସୁସ୍ଥ ସବଳ କରିବାରେ ସହାୟକ ହୁଏ । ଏହି ଜନିଷଟି ଅତି କମ୍ ଦାମ । ଯାହାକୁ ଧନୀ ଗରିବ ସମସ୍ତେ ବ୍ୟବହାର କରିଥାନ୍ତି । ଡାକ୍ତର ମହଲାନାବିସଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଓଆରଏସ୍‌ ଘରେ ଘରେ ପରିଚିତ ହୋଇପାରିଥିଲା ।

Comments are closed, but trackbacks and pingbacks are open.