ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର

25

ଭୁବନେଶ୍ୱର: ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଓଡ଼ିଆ ଭାଷାରେ କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମିଳିଛି । ତାଙ୍କର କବିତା ସଂକଳନ ‘ଦୟାନଦୀ’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ତାଙ୍କୁ ମିଳିଥିବା ଘୋଷଣା କରାଯାଇଛି । ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପ୍ରଦାନ କରାଯିବ । ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ଏହି ପୁରସ୍କାର ୨୩ଟି ଭାଷାରେ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବିତା ସଂକଳନ ‘ଦୟାନଦୀ’ ୨୦୧୭ରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା । ଏହା ପୂର୍ବରୁ ସେ ୨୦୧୧ ମସିହାରେ କବିତା ସଂକଳନ ‘ଗାଁ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦୁଇ ଥର ପୁରସ୍କୃତ ହେବାରେ ସେ ପ୍ରଥମ ଓଡ଼ିଆ କବି । କବିତା ସଂକଳନ ‘ଦୟାନଦୀ’ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । ଏଥିରେ ଉତ୍ସର୍ଗ ଓ ପରିଶିଷ୍ଟକୁ ମିଶେଇ ୬୪ଟି କବିତା ରହିଛି । ଯୁଦ୍ଧର ସମସ୍ତ ବିଭୀଷିକା, ସମସ୍ତ ସ୍ପର୍ଦ୍ଧା ଓ ସମସ୍ତ ଅହଂକାର ଭିତରେ କେବଳ ଗୋଟିଏ ଅନୁଚ୍ଚାରିତ ସ୍ୱର ହିଁ ଗୁଞ୍ଜରିତ ହୁଏ; ତାହା ହେଉଛି ପରାଜୟର । ଏହି କବିତା ସବୁ ଇତିହାସର କୌଣସି ତାତ୍ତ୍ୱିକ ଆଲୋଚନା ବା କାବ୍ୟରୂପ ନୁହେଁ, ବରଂ ଏହା ଇତିହାସର ନଈରେ ନୌଯାତ୍ରା କରୁଥିବା ଏକ କାବ୍ୟିକ ସମ୍ବେଦନା । କଳିଙ୍ଗ ଯୁଦ୍ଧର ଏକମାତ୍ର ସାକ୍ଷୀ ଭାବରେ ଆଜି ବି ଅଛି ଦୟାନଦୀ । ଆଜି ବି ପ୍ରତି ଓଡ଼ିଆର ଶିରାରେ ରକ୍ତହୋଇ ବହୁଛି । ମଣିଷକୁ ମଣିଷପଣିଆ ଆଡ଼େ ବାଟ ଦେଖାଉଛି । ଶାନ୍ତି, ପ୍ରୀତି, ମୈତ୍ରୀର ଜୟଗାନ କରୁଛି ।
ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି । ସେଥିମଧ୍ୟରୁ ଓଡ଼ିଆ ଭାଷାରେ ବାରଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି । ଏତବ୍ୟତୀତ ହିନ୍ଦୀ ଭାଷାରେ ପାଞ୍ଚଟି କବିତା ସଂକଳନ ଓ ଇଂରାଜୀ ଭାଷାରେ ଦୁଇଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ ପ୍ରକାଶ ପାଇଛି । କବିତା ସଂକଳନଗୁଡ଼ିକ ହେଲା ‘ଆହତ ପ୍ରତିଶ୍ରୁତି’, ‘ଅସ୍ପଷ୍ଟ ଈଶ୍ୱର’, ‘ଅଣାୟତ୍ତ’, ‘ଗାଁ’, ‘ଯେତିକି ଦିଶୁଚି ଆକାଶ’, ‘ଆଖି ନାଇଁ କାନ ନାଇଁ’, ‘ଏ ରାତିର ଯେତେ ତାରା’, ‘ବାଘ’, ‘ଦୟାନଦୀ’, ‘ମହେଞ୍ଜୋଦାରୋ’, ‘ନିର୍ବାଚିତ କବିତା’ ଓ ‘ପ୍ରାର୍ଥନାର ଶବ୍ଦପରି’ । ‘ବିସର୍ଜନ’ ଓ ‘ନିଜକୁ ନେଇ ସତ ଗପ’ ତାଙ୍କର ଦୁଇଟି ଗଳ୍ପ ସଂକଳନ । ‘ମମ୍ମି ଯାହା ଜାଣେ ନାହିଁ’, ‘ରାସ୍ତା’, ‘ରିପୋର୍ଟର’ ଓ ‘ମାୟାଜାଲ’ ତାଙ୍କର ଚାରୋଟି ଉପନ୍ୟାସ ତଥା ‘ବିଚାର ବିମର୍ଶ’ ତାଙ୍କର ପ୍ରବନ୍ଧ ସଂକଳନ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପୂର୍ବରୁ ଗାୟତ୍ରୀବାଳା ୨୦୧୧ରେ କବିତା ସଂକଳନ ‘ଗାଁ’ ପାଇଁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ । ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବ କବି ସମ୍ମାନ, ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, ‘ରାଇଟର୍ସ-ଇନ୍‌-ରେସିଡେନ୍ସ’ ଆଟ୍ ରାଷ୍ଟ୍ରପତି ଭବନ-୨୦୧୫, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ରଚିତ ପ୍ରବନ୍ଧ ପାଇଁ ପୁରସ୍କୃତ ହେବା ସହିତ ସତ୍ୟବାଦୀ ସାହିତ୍ୟ ସମ୍ମାନ, ରାଜକନ୍ୟା ରତ୍ନମାଳୀ ଜେମା ସାରସ୍ୱତ ସମ୍ମାନ, ଆର୍ଯ୍ୟା ସମ୍ମାନ, କଳିଙ୍ଗ ବୀରାଙ୍ଗନା ସମ୍ମାନ, ଭଞ୍ଜ ଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ, ଟାଇମ୍ସ ପାୱାର ୱିମେନ୍ ସମ୍ମାନ ଓ ଅକ୍ଷୟ ସାହିତ୍ୟ ସମ୍ମାନ ଇତ୍ୟାଦି ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ମର୍ଯ୍ୟାଦାଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହେବା ପରେ ଡ. ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମତେ ନୁହେଁ, ମୋ ଲିଖିତ କବିତା ପୁସ୍ତକ ‘ଦୟାନଦୀ’ ପାଇଁ ମତେ ଏହି ପୁରସ୍କାର ମିଳିବ ଏବଂ ଏହି ପୁରସ୍କାର ହେଉଛି ପାଠକଙ୍କ ଶ୍ରଦ୍ଧା ଓ ସଦିଚ୍ଛା । ଏହା ତାଙ୍କୁ ତାଙ୍କର ଲେଖନୀ ପ୍ରତି ଆହୁରି ଦାୟିତ୍ୱବଦ୍ଧ କରିବ । ତେବେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଅଗ୍ରଜ ସାହିତ୍ୟିକ ଓ ସତୀର୍ଥଙ୍କ ଶୁଭେଚ୍ଛା, ପରିବାରର ପ୍ରେରଣା ଓ ସହଯୋଗ ଯୋଗୁଁ ଏହି ସମ୍ମାନ ତାଙ୍କୁ ମିଳିପାରିଛି ବୋଲି ସେ କହିଛନ୍ତି । ଜଗତସିଂହପୁର ଜିଲ୍ଲାର ସାଦେଇପୁରରେ ୧୯୭୭ରେ ଜନ୍ମଗ୍ରହଣ କରିଥିବା ଗାୟତ୍ରୀବାଳା ହେଉଛନ୍ତି ଗୋଲକ ବିହାରୀ ପଣ୍ଡା ଓ ଅରୁଣିମା ପଣ୍ଡାଙ୍କ କନ୍ୟା, ନୃସିଂହ ଚରଣ ମଙ୍ଗରାଜ ଓ ଶ୍ରଦ୍ଧାଞ୍ଜଳି ମଙ୍ଗରାଜଙ୍କ ପୁତ୍ରବଧୁ ଏବଂ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଧର୍ମପତ୍ନୀ ।

Comments are closed, but trackbacks and pingbacks are open.