ଭୁବନେଶ୍ୱରରେ ଗଡ଼ିଲା ଡବଲ ଡେକର ଇ-ବସ୍

164

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସର ଉଦ୍‌ଘାଟନ ପୂର୍ବରୁ ବହୁଚର୍ଚ୍ଚିତ ୫ ଡବଲ ଡେକର ଇ-ବସ୍ ଭୁବନେଶ୍ୱରରେ ଗଡ଼ିଛି। ଉକ୍ତ ଡବଲ୍ ଡେକର ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଞ୍ଚାବନ ସିଟ୍ ବିଶିଷ୍ଟ ଏହି ବସ୍ ଥରେ ବିଦ୍ୟୁତ୍ ସଂଯୋଗ କଲେ ପ୍ରାୟ ୨୫୦ରୁ ୩ଶହ କିଲୋମିଟର ପର୍ଯ୍ୟନ୍ତ ଦୂରତା ଯାଇ ପାରିବ। ଏହାର ବେଗ ଘଣ୍ଟାପ୍ରତି ୪୫ କିଲୋମିଟର ରହିଛି। ଡବଲ୍ ଡେକର୍ ବସ୍‌ଗୁଡ଼ିକ ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଛି। ଡବଲ ଡେକର ଇ-ବସ୍‌ରେ କୋଣାର୍କ ଚକ୍ର, ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଝଲକ ରହିଛି। ପ୍ରଥମେ ପ୍ରବାସୀ ଭାରତୀୟଙ୍କୁ ବୁଲାଇବା ପରେ ଏହି ବସ୍ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ ମଧ୍ୟରେ ଚାଲିବ। କଟକରୁ ଭୁବନେଶ୍ୱର ମଧ୍ୟରେ ୨ଟି ବସ୍ ଓ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଅନ୍ୟ ୨ଟି ବସ୍ ଚଳାଇବା ପାଇଁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌)ଯୋଜନା କରିଛି। ବସ୍ ଶୁଭାରମ୍ଭ ବେଳେ ଅନ୍ୟମାନଙ୍କ ମଧ୍ୟରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ପ୍ରମୁଖ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.