ଦୀପାବଳି ପାଳନ ର ବିଧି ଓ ପରମ୍ପରା

24

ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟା ତିଥିକୁ ଦୀପାବଳି ଅମାବାସ୍ୟା କୁହାଯାଇଥାଏ I ଭାରତରେ ପାଳିତ ପ୍ରାୟ ସମସ୍ତ ପର୍ବ ପର୍ବାଣି ସହିତ କୌଣସି ନା କୌଣସି ପୌରାଣିକ ଵ୍ୟାଖ୍ୟାନ ଜଡିତ ହୋଇଥାଏ ଇ ଦୀପାବଳି ଭାରତ ରେ ପ୍ରାୟ ଅଧିକାଂଶ ଅଂଚଳରେ ପାଳିତ ହେଉଥିବା ଏକ ସର୍ବଭାରତୀୟ ପର୍ବ ।ସେହିଭଳି ଦୀପାବଳୀକୁ ନେଇ ଅନେକ ଵ୍ୟାଖ୍ୟାନ ରହିଛି I କିନ୍ତୁ ଅଂଚଳ ଅନୁସାରେ ଏହାର ପାଳନ ପଦ୍ଧତି ଓ ମାନ୍ୟତା ଅଲଗା ଅଲଗା ରହିଛି । ଦୀପାବଳି ସହିତ ଜଡିତ ଏକ ସାଧାରଣ ବିଶ୍ବାସ ରହିଛି ଯେ ଏହି ଦିନ ଭଗବାନ ଶ୍ରୀରାମ ଲଙ୍କା ବିଜୟ ପରେ ଅଯୋଧ୍ୟା ଫେରିଥିଲେ ।ଶ୍ରୀରାମଙ୍କ ଆସିବା ଖୁସିରେ ଅଯୋଧ୍ୟାବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ । ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ବାମନ ଅବତାରରେ ନିଜ ପାଦରେ ବଳି ରାଜାଙ୍କୁ ଦାବିଦେବାପରେ ,ବଳିରାଜା ନିଜ ପ୍ରଜାଙ୍କ ଦୁଃଖ ଦୁର୍ଦଶା ଦୂର କରିବା ପାଇଁ ଗୋଟିଏ ଦିନ ସମୟ ମାଗିଥିଲେ I ତେଣୁ ବିଶ୍ୱାସ ରହିଛି ,ପ୍ରତିବର୍ଷ ଏହିଦିନ ବଳିରାଜା ମର୍ତ୍ତ୍ୟକୁ ଆଗମନ କରନ୍ତି ଓ ମର୍ତ୍ତ୍ୟବାସୀ ଦୀପଜାଳି ତାଙ୍କୁ ସ୍ୱାଗତ କରିଥାନ୍ତି I ସେହିପରି ଅନ୍ୟ ଏକ ପ୍ରଥା ଅନୁଯାୟୀ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ପ୍ରବଳ ପ୍ରତାପୀ ନରକାସୁରକୁ ବଧ କରି ଧରିତ୍ରୀକୁ ତା ଅତ୍ୟାଚାରରୁ ମୁକ୍ତ କରିଥିଲେ । ଏହାକୁ ସେଥପାଇଁ ନରକ ଚତୁର୍ଦ୍ଦଶୀଭାବେ ପାଳନ କରାଯାଏ । ନରକ ଚତୁର୍ଦ୍ଦଶୀରେ ଯମରାଜା ଓ ଚିତ୍ରଗୁପ୍ତଙ୍କୁ ମଧ୍ୟ ପୂଜା କରାଯାଏ ।

ସେହିପରି ଜୈନ ମାନଙ୍କ ମତରେ ଏହି ଦିନ ମହାବୀର ଜୈନ ନିର୍ବାଣ ପ୍ରାପ୍ତି କରିଥିଲେ I ତେଣୁ ଜୈନ ମାନେ ମହାବୀର ଙ୍କ ସ୍ମୃତି କୁ ମନେ ପକାଇ ଏହି ଦିନ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥାନ୍ତି I
ତେବେ ଏହି ଆଲୋକର ପର୍ବକୁ ସମସ୍ତେ ଜାତି ,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଖୁବ ଧୁମଧାମ ରେ ପାଳନ କରିଥାନ୍ତି I ପ୍ରତ୍ୟକ ବ୍ୟବସାୟୀମାନେ ଏହି ଶୁଭ ଦିନ ଟିକୁ ନୂଆବର୍ଷ ରୂପେ ପାଳନ କରି ପୁରୁଣା ହିସାବ ଚୁକତା କରି ନୂଆ ଖାତା ଖୋଲିଥାନ୍ତି I

ଓଡ଼ିଶାରେ ଦୀପାବଳି ଦିନ ପିତୃଲୋକଙ୍କୁ ଶ୍ରାଦ୍ଧ ଦେବା ସହ ସଂଧ୍ୟାରେ ବଡବଡୁଆ ଡାକିବାର ପରମ୍ପରା ରହିଛି । ଏହି ନିଆରା ପରମ୍ପରା ଜଗନ୍ନାଥ ସଂସ୍କୃତି ସହିତ ଜଡିତ I କାଉଁରିଆ (କପା) କାଠି ଜାଳି ପିତୃପୁରୁଷ ଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଅର୍ପଣ କରାଯାଇଥାଏ I ପିତୃପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି I ଏହି ପିଣ୍ଡ ଦାନ ଲୋକମାନେ ଘରେ ଘରେ କରିବା ସହିତ ସଂଖ୍ୟ ଭକ୍ତ ସେହିଦିନ ଜଗନ୍ନାଥ ମନ୍ଦିରର ବାଇଶି ପାହାଚରେ ପିଣ୍ଡ ଦାନ କରି କାଉଁରିଆକାଠି ଜାଳି ଥାନ୍ତି I ପୁରାଣ ଅନୁସାରେ ସୁର୍ଯ୍ୟ ଯେତେବେଳେ କନ୍ୟା ରାଶି କୁ ସ୍ପର୍ଶ କରନ୍ତି ସେତିକିବେଳେ ପିତୃପୁରୁଷମାନେ ,ପିତୃଲୋକରୁ ମର୍ତ୍ୟଲୋକକୁ ଅବତରଣ କରିଥାନ୍ତି I ପୁନର୍ବାର ନିଜ ବଂଶଧର ଙ୍କ ଠାରୁ ପିଣ୍ଡ ଗ୍ରହଣ କରି ପିତୃଲୋକକୁ ତୁଳା ରାଶି ଅନ୍ତର୍ଗତ ଦୀପାବଳି ଅମାବାସ୍ୟା ରେ ପ୍ରତ୍ୟାବର୍ତ୍ତନ କରିଥାନ୍ତି I ତେଣୁ ପ୍ରତ୍ୟକ ଗୃହସ୍ଥ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରଦ୍ଧା ଅର୍ପଣ କରି ରାତ୍ରରେ ସେମାନଙ୍କ ଶୁଭାଗମାନ ଲାଗି ଆଲୋକ ଦେଖାଇଥାନ୍ତି I ତେଣୁ ଏହାକୁ ପୟାଶ୍ରାଦ୍ଧ ମଧ୍ୟ କୁହା ଯାଇଥାଏ I ଘରେ ଘରେ କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରାଯାଏ
ବଡ଼ ବଡୁଆ ହୋ ,ଅନ୍ଧାର ରେ ଆସି ,ଆଲୁଅରେ ଯାଅ
ଗଙ୍ଗା ଯାଅ ,ଗୟା ଯାଅ ,ପୁରୁଷୋତ୍ତମପୁର ଯାଇ ମହାପ୍ରସାଦ ଖାଇ
ବାଇଶି ପାହାଚେ ଗଡ଼ ଗଡ଼ାଉଥାଅ….I

ପୁନର୍ବାର ସେହିପରି ଉତ୍କଳ,ପଶ୍ଚିମ ବଙ୍ଗରେ ଦୀପାବଳିରେ କାଳିପୂଜା କରାଯାଏ । ଏହି କାଳୀପୂଜା ଏକ ତାନ୍ତ୍ରିକ ପୂଜା ଏହାକୁ ନିଶାର୍ଦ୍ଧରେ କରାଯାଇଥାଏ ଇ ପ୍ରାୟ ୧୨୦୦ ବର୍ଷ ପୂର୍ବେ ଓଡ଼ିଶାରେ ଅଷ୍ଟମ ,ନବମ ଶତାବ୍ଦୀ ବେଳକୁ ଚାମୁଣ୍ଡା ଦେବୀ ଙ୍କର ପୂଜା ଆରମ୍ଭ ହୋଇଥିଲା ଇ ଏବେ ଓଡ଼ିଶାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି କାଳୀପୂଜା ଅନୁଷ୍ଠିତ ହେଉଛି I ସେହିପରି ଦୀପାବଳିରେ ଉତ୍ତରଭାରତ ଓ ପଶ୍ଚିମଭାରତରେ ମହାଲକ୍ଷ୍ମୀ ଓ ଗଶେଶଙ୍କ ପୂଜା କରାଯାଏ । ଦୀପାବଳି ଦିନ ହିଁ ବିକ୍ରମ ସମ୍ବତର ପ୍ରଥମ ଦିନ । ଚଳିତବର୍ଷ ଦୀପାବଳିଠାରୁ ବିକ୍ରମ ସମ୍ବତ ୨୦୭୬ ଆରମ୍ଭ ହେବ ।

Leave A Reply

Your email address will not be published.