୨୦ରେ ଦୀପାବଳି ପାଳନ: ମୁକ୍ତିମଣ୍ଡପ ମହାସଭା

103

ଭୁବନେଶ୍ବର : ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛି ମୁକ୍ତିମଣ୍ଡପ ମହାସଭା। ୨୦ତାରିଖ ସୋମବାର ଦୀପାବଳି, ପୟାଶ୍ରାଦ୍ଧ ପାଳନ କରିବାକୁ ମହାସଭା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ କିଛି କ୍ୟାଲେଣ୍ଡର୍‌ରେ ୨୦ ତାରିଖରେ ଦୀପାବଳି ପାଳନ ନେଇ ଲେଖାଯାଇଥିବା ବେଳେ ଆଉ କିଛି କ୍ୟାଲେଣ୍ଡର୍‌ରେ ୨୧ତାରିଖରେ ବୋଲି ଲେଖାଯାଇଛି। ତେବେ କେଉଁ ଦିନ ଦୀପାବଳି ପାଳନ ହେବ ସେନେଇ ଦ୍ୱନ୍ଦ୍ୱ ଦେଖାଦେବା ପରେ ମୁକ୍ତିମଣ୍ଡପ ମହାସଭା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସଠିକ ତାରିଖ ଘୋଷଣା କରାଯାଇଛି। ଚଳିତବର୍ଷ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସଂଶୋଧିତ ହୋଇଥିବା ପାଞ୍ଜିଗୁଡ଼ିକରେ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି ପ୍ରାଞ୍ଜଳ ଭାବରେ ଉଲ୍ଲେଖ ଅଛି। କିନ୍ତୁ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ବହିଷ୍କୃତ ସଦସ୍ୟ ନିଜକୁ ଆତ୍ମଘୋଷିତ ଜ୍ୟୋର୍ତିବିତ୍ ବୋଲାଇ କେତେକ ପ୍ରିଣ୍ଟ ମିଡିଆ ଓ ଗଣମାଧ୍ୟମରେ ଦୀପାବଳି ତଥା ଦୀପଦାନ ଓ ପୟୋଶ୍ରାଦ୍ଧକୁ ଅକ୍ଟୋବର ୨୧ ତାରିଖ ମଙ୍ଗବାର ଦିନ କରିବା ପାଇଁ ପ୍ରଚାର କରିଥିଲେ। ତେବେ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉ ଅଛି ଯେ, ଆସନ୍ତା ଅକ୍ଟୋବର ୨୦ ତାରିଖ ସୋମବାର ଦୀପଦାନ, ଶ୍ରାଦ୍ଧ କରାଯିବା ଶାସ୍ତ୍ରସମ୍ମତ। କାରଣ ତା.୨୧.୧୦.୨୦୨୫ ମଙ୍ଗଳବାର ପ୍ରଦୋଷକୁ ଏକ ଦଶ ଦଣ୍ଡ (୨୪ ମିନିଟ୍‌) ଅମାବାସ୍ୟା ତିଥି ନାହିଁ। ତେଣୁ ତା.୨୧.୧୦.୨୦୨୫ ମଙ୍ଗଳବାର ଦିନ ଦୀପଦାନ ଶ୍ରାଦ୍ଧ କରାଯାଇ ପାରିବ ନାହିଁ। ବୈଠକରେ କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର, ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର, ଉପସଭାପତି ଉମାବଲ୍ଲଭ ମହାପାତ୍ର, ଯୁଗ୍ମ ସମ୍ପାଦକ ଲୋକନାଥ ମିଶ୍ର, ସଦସ୍ୟ ପଣ୍ଡିତ ଦୁର୍ଗା ପ୍ରସାଦ ମିଶ୍ର, ରବି ପ୍ରସାଦ ରଥ, ଜଗନ୍ନାଥ ରଥ, ଜ୍ୟୋତିର୍ବିଦ୍ ନୀଳମାଧବ ଦାସ, ଜ୍ୟୋତିର୍ବିଦ୍ ଜ୍ୟୋତି ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.