ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଜିଲ୍ଲାପାଳଙ୍କ ନିଷ୍ପତ୍ତି: ଖୋର୍ଦ୍ଧାରେ ୨୦ରୁ ୨୩ ଯାଏଁ ସ୍କୁଲ ଓ ଅଙ୍ଗନୱାଡ଼ି ଛୁଟି

189

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସମେତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ପ୍ରବଳ ଖରା ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, “ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଆମର ସର୍ବୋଚ୍ଚ ପ୍ରାଥମିକତା। ଆଗାମୀ ଦିନରେ ପାଣିପାଗର ସ୍ଥିତିକୁ ସମୀକ୍ଷା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।” ଉଲ୍ଲେଖଯୋଗ୍ୟ ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବରୁ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ମଧ୍ୟ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇ ସାରିଛି। ବର୍ତ୍ତମାନ ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

Comments are closed, but trackbacks and pingbacks are open.