ଭୁବନେଶ୍ୱର: ଓଡ଼ିଶାରେ ଏନ୍ସିସିର କାଡେଟ୍ ସଂଖ୍ୟା ୬୦ ହଜାର ରହିଛି। ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍ସିସି ଶାଖା ପ୍ରତିଷ୍ଠା କରାଯିବ । ସୋମବାର ଲୋକସେବା ଭବନରେ ଏନ୍ସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ୍ ଗୁରୁବୀର ପାଲ୍ ସିଂହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ଏନ୍ସିସିର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ଗୁରୁବୀର କହିଛନ୍ତି ଯେ ରାଜ୍ୟରେ ଏନ୍ସିସି ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ତିନୋଟି ଟ୍ରେନିଙ୍ଗ୍ ସେଣ୍ଟର୍ ପ୍ରତିଷ୍ଠା କରାଯିବ। କଟକ ଓ ବ୍ରହ୍ମପୁରରେ ଏଥିପାଇଁ ୫ ଏକର ଲେଖାଏଁ ଜମି ଉପଲବ୍ଧ ଥିବାବେଳେ, ସମ୍ୱଲପୁରରେ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦିଆଯିବ। ଏହା ସହିତ କୋରାପୁଟ୍ରେ ଏନ୍ସିସିର ଗ୍ରୁପ୍ ହେଡ୍କ୍ୱାଟର୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯିବ। ଝାରସୁଗୁଡ଼ା ଏୟାରପୋର୍ଟରେ ଏନ୍ସିସି ପିଲାମାନଙ୍କୁ ବିମାନ ଉଡ଼ାଣ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି କରାଯାଇଛି। ଏଥିପାଇଁ ସେଠାରେ ଏକ ହ୍ୟାଙ୍ଗର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏନ୍ସିସି ହେଉଛି ଦେଶର ଏକ ପ୍ରତିଷ୍ଠିତ ସଂସ୍ଥା। ଛାତ୍ର ଓ ଯୁବଶକ୍ତିର ସମ୍ଭାବନାକୁ ବିକଶିତ କରି ଦେଶର ସେବାରେ ନିୟୋଜିତ କରିବା କ୍ଷେତ୍ରରେ ଏହାର ତୁଳନା ନାହିଁ। ତେଣୁ ଓଡ଼ିଶାରେ ଏହି ସଂସ୍ଥାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଏନ୍ସିସିର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏଥିପାଇଁ ଏନ୍ସିସି ପକ୍ଷରୁ ଡାଇରେକ୍ଟର କର୍ଣ୍ଣେଲ ସାଗର ମହାନ୍ତି ଓ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏନ୍ସିସି ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ନିଷ୍ପତ୍ତିଗୁଡ଼ିକର ରୂପାୟନକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥିର ହୋଇଛି।
Comments are closed, but trackbacks and pingbacks are open.