ଧାମନଗର ଟକ୍କର: ପ୍ରାର୍ଥାପତ୍ର ପ୍ରତ୍ୟାହାର କଲେନି ରାଜେନ୍ଦ୍ର

38

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସରେ ବି ନାମାଙ୍କନ ୱାପସ୍ କଲେନି ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ । ମୈଦାନରେ ଏବେ ୫ ଯୋଦ୍ଧା । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଛାଡ଼ି ଆଉ ଦୁଇ ସ୍ୱାଧୀନ ପ୍ରାର୍ଥୀ । ଫଳରେ ଧାମନଗର ଉପନିର୍ବାଚନ ଲଢ଼େଇ ଚର୍ତୁଃମୁଖି ହେଲାଭଳି ଜଳଜଳ ଦିସୁଛି । ଆରମ୍ଭରୁ ସେଠାକାର ସ୍ଥିତି ଉଷ୍ଣ ହେବା ସହ ରୋଚକ ମୋଡ଼ ନେଇଛି ।
ଧାମନଗର ଉପନିର୍ବାଚନ ରଣାଙ୍ଗନରେ ମୋଟ୍ ୬ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ପ୍ରାର୍ଥୀପତ୍ର ଯାଞ୍ଚବେଳେ ଜଣେ ପ୍ରାର୍ଥୀଙ୍କର ନାମାଙ୍କନ ନାକଚ ହୋଇଛି । ବାକି ୫ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ୍ ରହିଛି । ସେମାନେ ହେଉଛନ୍ତି ବିଜୁ ଜନତା ଦଳର ଅବନ୍ତୀ ଦାସ, ଭାରତୀୟ ଜାତୀୟ କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ଭାରତୀୟ ଜନତା ପାର୍ଟିର ସୂର୍ଯ୍ୟବଂଶୀ ସୂରଜ୍‌, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ । ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କର ନିଜର ଦଳୀୟ ଚିହ୍ନ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ନିର୍ବାଚନୀ ଚିହ୍ନ ‘ଭାସମାନ ଡଙ୍ଗା’ ମିଳିଥିବାବେଳେ ଅନ୍ୟମତ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କ ନିର୍ବାଚନୀ ଚିହ୍ନ ‘ଶୀତତାପ ନିୟନ୍ତ୍ରିତ ଯନ୍ତ୍ର’ ମିଳିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହା ଆନୁଷ୍ଠାନିକ ଘୋଷଣା କରିବା ପରେ ଆଶା ଓ ଆଶଙ୍କାର ଗଣ୍ଡି ଭିତରକୁ ଧସି ଯାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ପ୍ରାୟ ସବୁ ଶିବିରରେ ସମାନ କଥା କ’ଣ ହେବ ଫଳାଫଳ?
ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ସେପ୍ଟେମ୍ବର ୧୯ରେ ଅକାଳ ବିୟୋଗ ଯୋଗୁଁ ଧାମନଗର ସରଂକ୍ଷିତ ଆସନ ଖାଲିରହିଛି । ଏଥିପାଇଁ ନଭେମ୍ବର ୩ରେ ହେଉଛି ଉପନିର୍ବାଚନ । ନଭେମ୍ବର ୬ରେ ଗଣତି । ପ୍ରାୟ ୨.୩୮ ଲକ୍ଷ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଏଥିପାଇଁ ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ଥିଲାବେଳେ ୧୭ରେ ପ୍ରାର୍ôଥପତ୍ର ପ୍ରତ୍ୟାହାର ଶେଷ ଦିନ ଥିଲା । ବିଜେଡିରୁ ଟିକେଟ୍ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଦ୍ରୋହୀ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସେ ତାହା ପ୍ରତ୍ୟାହାର କରିନେବେ ବୋଲି ବିଜେଡିର ଛାମୁଆଁ ନେତାମାନେ ଆଶା ବାନ୍ଧିଥିଲେ । ଏନେଇ ବହୁ ନେତା ତାଙ୍କୁ ମନାଇବା ପାଇଁ ପ୍ରବଳ ଚାପ ସୃଷ୍ଟି କରିଥିଲେ । ହେଲେ ଅସନ୍ତୁଷ୍ଟ ରାଜେନ୍ଦ୍ର କାହାରି କଥା କିଛି ନଶୁଣି ନିଜ ଜିଦ୍‌ରେ ଅଟଳ ରହିଲେ । ଶେଷରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ବୈତରଣୀ ପାର ପାଇଁ ଅଣ୍ଟା ଭିଡ଼ିଛନ୍ତି । କେତେଦୂର ସଫଳ ହେଉଛନ୍ତି ତାହା ଭିନ୍ନ କଥା ହେଲେ ତାଙ୍କ ଯୋଗୁଁ ଧାମନଗର ଉପନିର୍ବାଚନରେ ‘ଚର୍ତୁଃମୁଖି ଲଢ଼େଇ’ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ପୂର୍ବାନୁମାନ କରିଛନ୍ତି ।
ଏତିକି ସ୍ପଷ୍ଟ ଯେ, ଧାମନଗର ଉପନିର୍ବାଚନ ଟିକେଟ୍ ପାଇଁ ଆରମ୍ଭରୁ ବିଜେଡି ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବା ଥିଲା । ଟିକେଟ୍ ପାଇଁ ପ୍ରାର୍ଥୀମାନେ ରାଜଧାନୀରେ ଲବି ପାଇଁ ଡେରା ପକାଇଥିଲେ । ବିଜେପିରୁ ଏକମାତ୍ର ସୂରଜ୍‌ଙ୍କ ନାମ ଘୋଷଣା ହୋଇଥିବାବେଳେ ବିଜେଡିରୁ ୭ ଓ କଂଗ୍ରେସରୁ ୫ ଜଣଙ୍କ ନାମ ଚର୍ଚ୍ଚା ଜୋର ଧରିଥିଲା । ଉଭୟ ଦଳର ଛାମୁଆଁ ନେତାମାନେ ଖୁବ୍ ତର୍ଜମା କରିଥିଲେ । କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲାବେଳେ ତିହଡ଼ିି ବ୍ଲକ୍ ଅଧକ୍ଷା ସଂପୃକ୍ତା ଅବନ୍ତୀ ଦାସଙ୍କୁ ବିଜେଡିର ପ୍ରାର୍ଥୀ ବୋଲଇ ଘୋଷଣା କଲା । କାରଣ ଅବନ୍ତୀଙ୍କର ମିଶନଶକ୍ତି ମହିଳା ଏସ୍‌ଏଚ୍‌ଜିରେ ଦୀର୍ଘ ଅଭିଜ୍ଞତା ରହିଛି । ମହିଳା ଭୋଟ୍ ହାତେଇବା ସହଜ ହେବ । ତେଣୁ ତାଙ୍କୁ ପ୍ରାର୍ଥୀତ୍ୱ କରି ଶାସକ ବିଜେଡି ‘ମାଷ୍ଟର ଷ୍ଟ୍ରୋକ୍‌’ ମାରିଛି ବୋଲି ଚର୍ଚ୍ଚା ହେଲା । ମାତ୍ର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ହୋଇଥିବାରୁ ସେ ଅନୁ୍‌୍‌କମ୍ପା ଭୋଟ୍ ହାତେଇବେ ବୋଲି ଦଳ ଆକଳନ କରିଛି । କେହି ବିଦ୍ରୋହୀ ପ୍ରାର୍ଥୀ ନାହାନ୍ତି । କଂଗ୍ରେସରେ ବି କୌଣସି ବିଦ୍ରୋହୀ ପ୍ରାର୍ଥୀ ନଥିଲାବେଳେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଉଭା ହୋଇଛନ୍ତି । ତେଣୁ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ସେଥିପାଇଁ ଧାମନଗର ଉପନିର୍ବାଚନର ଫଳ ଆଗୁଆ କହିବା ରାଜନୈତିକ ବିଶେଷଜ୍ଞଙ୍କ ପକ୍ଷରେ କଷ୍ଟକର ହୋଇଛି । ଦେଖାଯାଉ ନଭେମ୍ବର ୬ରେ କି ଫଳ ଫଳୁଛି ।

Comments are closed, but trackbacks and pingbacks are open.